ବିଜେଡି ବିଜେପି ମେଣ୍ଟରେ କିଏ କେତେ ଆସନରେ ଲଢେଇ କରିବେ, ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଛି । 15 ବର୍ଷ ତଳେ ହୋଇଥିବା ମେଣ୍ଟ ଫର୍ମୁଲା 12:9 ଏଥର ଆଉ କାମ କରିବନି । ଲୋକସଭା ଆସନରେ ଏଥର ଅଧିକ ଆସନରେ ଲଢିବାକୁ ବିଜେପି ଦାବି କରୁଛି । ଦେଶର ମୋଦୀ ହାଓ୍ୱା ବହୁଛି । ତେଣୁ ବିଜେପିକୁ ଅଧିକ ଲୋକସଭା ଆସନ ଦରକାର । ଗତ ଲୋକସଭା ନିର୍ବାଚନରେ ବିଜେଡିର 12 ଜଣ ସାଂସଦ ନିର୍ବାଚିତ ହୋଇଥିବା ବେଳେ ବିଜେପିର 8 ଜଣ ଏବଂ କଂଗ୍ରେସର ଜଣେ ସାଂସଦ ନିର୍ବାଚିତ ହୋଇଥିଲେ । ମାତ୍ର ଏଥର ଚିତ୍ର ଅଲଗା । ବିଜେପି 14ଟି ଲୋକସଭା ଆସନରେ ଲଢିବାକୁ ଚାହୁଁଛି । 7ଟି ଲୋକସଭା ଆସନ ବିଜେଡିକୁ ଛାଡିଦେବ । ତେବେ ବିଧାନସଭା ଆସନ ବଣ୍ଟାର ଅନୁପାତ ଅଲଗା ରହିବ । ବିଜେଡିକୁ 90 ରୁ 100 ବିଧାନସଭା ଆସନ ଛାଡିଦେବ । ଦୁଇଦଳର ଶୀର୍ଷସ୍ତର ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ଅନୁପାତ ଆପାତତଃ ଚୂଡାନ୍ତ ହୋଇଛି । ବିଜେଡି ଯଦିଓ ଅଧିକ ବିଧାନସଭା ଆସନ ଦାବି କରୁଛି, କିନ୍ତୁ ମୂଲଚାଲରେ ବିଜେପି ବିଜେଡିକୁ ଶହେରୁ ଅଧିକ ଆସନ ଛାଡିବାକୁ ପ୍ରସ୍ତୁତ ନୁହେଁ । ଆସନ ବୁଝାମଣା ଆପାତତଃ ଚୂଡାନ୍ତ ହୋଇସାରିଥିବା ବେଳେ ଆସନ୍ତା 12 ତାରିଖ ଦିନ ଅମିତ ଶାହ ଓଡିଶାଗସ୍ତରେ ଆସୁଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅମିଶ ସାହ ମିଳିତ ଭାବେ ମେଣ୍ଟ ଗଠନ ଓ ଆସନ ବୁଝାମଣା ସଂପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here