ଇରାନ-ଇସ୍ରାଏଲ ଯୁଦ୍ଧରେ ବିରତି ଘୋଷଣା ପରେ ବି ଦୁଇ ଦେଶ ପରସ୍ପର ଉପରେ ବୋମା ବର୍ଷା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଯୁଦ୍ଧ ବିମାନ ଏବେ ଘରମୁହାଁ ହୋଇଛନ୍ତି । ତେବେ ଯୁଦ୍ଧ ବିରତି ଘୋଷଣା ପରେ ବି ଦୁଇ ଦେଶ ପରସ୍ପର ଉପରକୁ ଆକ୍ରମଣ କରିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇଦେଶ ମଧ୍ୟରେ ଗତ ବାରଦିନ ଧରି ଭୟଙ୍କର ଯୁଦ୍ଧ ଲାଗି ରହିଥିଲା । ଯଦିଓ ଯୁଦ୍ଧରେ ଇରାନ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି, ତେବେ ଇରାନ ଆକ୍ରମଣରେ ଇସ୍ରାଏଲ ବି କିଛି କମ୍ କ୍ଷତିଗ୍ରସ୍ତ ହୋଇନି । ଉଭୟ ଦେଶରେ ବୋମାବର୍ଷା ଯୋଗୁ ସାଧାରଣ ନାଗରିକ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଭୟାବହ ଯୁଦ୍ଧର ପରିଣାମ ଉଭୟ ଦେଶକୁ ଭୋଗ କରିବାକୁ ପଡିଛି । ଯୁଦ୍ଧରେ ଆମେରିକାର ପ୍ରବେଶ ଯୁଦ୍ଧକୁ ନୂଆ ମୋଡ ଦେଇଥିଲା । ରାତି ଅଧରେ ଇରାନର ଆଣବିକ ଘାଟି ଉପରେ ଆମେରିକାର ଆକ୍ରମଣ ପରେ ଯୁଦ୍ଧ ବିଶ୍ବଯୁଦ୍ଧ ଆଡକୁ ମୁହାଁଉଥିବା ଆଶଙ୍କା କରାଯାଉଥିଲା । ଆମେରିକା ଆକ୍ରମଣ ପରେ ଇରାନ ଆମେରିକା ଏୟାର ବେସ୍ ଉପରେ ଆକ୍ରମଣ କରି ଯଦିଓ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା, କିନ୍ତୁ ଆମେରିକାର ଯୁଦ୍ଧ ବିରତି ପ୍ରସ୍ତାବକୁ ଉବୟ ଦେଶ ଗ୍ରହଣ କରିବା ପରେ ପରିସ୍ଥିତି ଶାନ୍ତ ପଡିଛି ।














