ଦୁନିଆରେ ଭଲ ମଣିଷ ଅଛନ୍ତି । ଏମିତି ଭଲ ମଣିଷ ଅଛନ୍ତି, ଯିଏ ନିଜର ସମସ୍ତ ସମ୍ପତ୍ତି ଜଣେ ରିକ୍ସାବାଲାଙ୍କ ନାଁରେ କରିଦେଇଛନ୍ତି । ବନ୍ଧୁବାନ୍ଧବ କି ସଂପର୍କୀୟଙ୍କ ତୁଳନାରେ ରିକ୍ସାବାଲା ବୁଢା ସାମଲର ମଣିଷପଣିଆ ନିକଟରେ ତୁଚ୍ଛ ହୋଇଯାଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।
କଟକ ସୂତାହାଟ ଅଞ୍ଚଳରେ ରହୁଛନ୍ତି ମିନତୀ ପଟ୍ଟନାୟକ । ସୂତାହାଟରେ ତାଙ୍କର ତିନିମହଲା ଘର । ଗତବର୍ଷ ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ଏକମାତ୍ର ଝିଅ ସହ ରହୁଥିଲେ ମିନତୀ । ମାତ୍ର ଉପରବାଲାର ବିଚାର କିଛି ଅଲଗା ଥିଲା । ଛ ମାସ ତଳେ ଏକମାତ୍ର ଝିଅର ହୃଦଘାତରେ ମୃତ୍ୟୁ ହେଲା । ମିନତୀ ଏକା ହୋଇଗଲେ । ଏକା ଏକା କେମିତି ବାକି ଜୀବନ ବଞ୍ଚିବେ, ସେହି ଚିନ୍ତାରେ ଥିଲେ ସେ । ବନ୍ଧୁବାନ୍ଧବ ଓ ସଂପର୍କୀୟମାନେ ଦିନେ ଅଧେ ଆସି ସମବେଦନା ଜଣାଇ ଚାଲିଗଲେ । ମିନତୀ ସବୁଦିନ ପାଇଁ ଏକା ହୋଇଗଲେ ।
ମିନତୀଙ୍କ ଘର ସହ ବହୁ ବର୍ଷ ପୂର୍ବରୁ ପରିଚିତ ଥିଲେ ବୁଢା ସାମଲ । କଟକରେ ଘର ଭଡା ନେଇ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରିଆସୁଥିଲେ ସେ । କିନ୍ତୁ ରାତି ପାହିଲେ ବୁଢା ସାମଲଙ୍କୁ ଖୋଜା ପଡୁଥିଲା ମିନତୀଙ୍କ ଘରେ । ସ୍କୁଲ ଯିବା ପାଇଁ ମିନତୀଙ୍କ ଝିଅ ଖୋଜୁଥିଲା ବୁଢା ଭାଇକୁ । କଲେଜ ହେଉ ଅବା ହାଟ ବଜାର ଯିବାକୁ ବୁଢା ଭାଇକୁ ଖୋଜା ପଡୁଥିଲା । ଦୀର୍ଘ ବର୍ଷ ଧରି ମିନତୀଙ୍କ ପରିବାର ସହ ପରିଚିତ ଥିବା ବୁଢା ସାମଲ ଏବେ ମିନତୀଙ୍କ ପାଇଁ ଏକମାତ୍ର ସାହାରା ଥିଲେ । ପନିପରିବା, ସଉଦା, ଔଷଧ ଭଳି ବ୍ୟବହାର୍ଯ୍ୟ ସାମଗ୍ରୀ ଆଣି ଦେଉଥିଲେ ରିକ୍ସାବାଲା ବୁଢା ସାମଲ । ତେବେ ଏଥିରେ କିଛି ଉଦ୍ଦେଶ୍ୟ ନ ଥିଲା ବୁଢା ସାମଲର । କିନ୍ତୁ ବୁଢା ସାମଲ ଓ ତାଙ୍କ ପରିବାରର ନିଃସ୍ବାର୍ଥପର ସ୍ନେହ, ଶ୍ରଦ୍ଧା ଓ ଯତ୍ନ ନିକଟରେ ବାନ୍ଧି ହୋଇ ଯାଇଥିଲେ ମିନତୀ । କିଛିଦିନ ତଳେ ରିକ୍ସାବାଲା ବୁଢା ସାମଲ ପରିବାରକୁ ଘରଭଡା ଛାଡି ତାଙ୍କ ଘରେ ଆଣି ରଖିଥିଲେ । ଆଉ ନିଷ୍ପତ୍ତି ନେଇଥିଲେ, ସେ ତାଙ୍କର ସମ୍ପତ୍ତି ଏହି ରିକ୍ସାବାଲା ବୁଢା ସାମଲ ନାଁରେ କରିଦେବେ । ଓକିଲ ଡାକି ପରାମର୍ଶ କରିବା ପରେ ମିନତୀ ତାଙ୍କ ସୂତାହାଟ ସ୍ଥିତ ତିନିମହଲା ଘର ଓ ସୁନା ଅଳଙ୍କାର ରିକ୍ସାବାଲା ବୁଢା ସାମଲ ପରିବାର ନାଁରେ କରିଦେଇଛନ୍ତି ।
ମିନତୀ କହିଛନ୍ତି, ସ୍ନେହ, ଶ୍ରଦ୍ଧା ନିକଟରେ ଏହି ଇଟାସିମେଣ୍ଟର ତିନିମହଲା ଘର ତୁଚ୍ଛ । ସେ ତାଙ୍କ ଅବଶିଷ୍ଟ ଜୀବନ ଏହି ବୁଢା ସାମଲଙ୍କ ପରିବାର ସହ କାଟିଦେବେ । ବୁଢା ସାମଲ ଜଣେ ଭଲ ମଣିଷ, ତେଣୁ ସେ ତାଙ୍କ ସମସ୍ତ ସମ୍ପତ୍ତି ତାଙ୍କୁ ଦାନ କରିଛନ୍ତି ବୋଲି କହିଛନ୍ତି ।