ଆସନ୍ତା ଜୁଲାଇ 24ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରପତି, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଯଦିଓ ନିକଟରେ ସରିଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ଚାରୋଟି ରାଜ୍ୟରେ ବିଜେପିକୁ ସଫଳତା ମିଳିଛି, ତଥାପି ସହଯୋଗୀ ରାଜନୈତିକ ଦଳମାନଙ୍କ ବିନା ସମର୍ଥନରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ବିଜେପି ପାଇଁ ସମ୍ଭବ ନୁହେଁ । ଏନଡିଏ ଅଂଶୀଦାର ଦଳଗୁଡିକ ସହ ବାହାରୁ ରହି ସମର୍ଥନ ଦେଇ ଆସୁଥିବା ଓ୍ବାଇଏସଆର କଂଗ୍ରେସ ଓ ବିଜୁ ଜନତା ଦଳ ଉପରେ ନଜର ରଖିଛି ବିଜେପି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଠିତ ଇଲେକ୍ଟୋରାଲ କଲେଜରେ ରହିଛନ୍ତି 776 ଜଣ ସାଂସଦ ଏବଂ 4120 ଜଣ ବିଧାୟକ । ଇଲେକ୍ଟୋରାଲ କଲେଜରେ ମୋଟ ଭୋଟର ମୂଲ୍ୟ 10,98,903 ଥିବା ବେଳେ ବିଜେପି ଏବଂ ସହଯୋଗୀ ଦଳଙ୍କ ଭୋଟ ମୂଲ୍ୟ ଅଧାରୁ ଅଧିକ ରହିଛି । ଏହି ଦୃଷ୍ଟିରୁ ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ପାରି କରିବା କଷ୍ଟକର ନୁହେଁ । ଅନ୍ୟପକ୍ଷରେ ବିରୋଧୀ ଦଳ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ଚେଷ୍ଟା କରିବା ସ୍ବାଭାବିକ । କଂଗ୍ରେସର ସ୍ଥିତି ଖରାପ ଥିବାରୁ ସବୁ ବିରୋଧୀଙ୍କୁ ଏକଜୁଟ କରି ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବା ପରି ମନେ ହେଉନି । କିନ୍ତୁ ସବୁ ବିରୋଧୀଙ୍କୁ ଏକାଠି କରିବାରେ ଟିଏମସି ନେତ୍ରୀ ମମତା ବାନାର୍ଜୀ ପ୍ରମୁଖ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଛି ।
ବିଜେପି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ନଚେତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଦଳ ପରବର୍ତ୍ତୀ ରାଷ୍ଟ୍ରପତି କରିବାର ସମ୍ଭାବନା ରହିଛି । ମାତ୍ର ସହଯୋଗୀ ଦଳଙ୍କ ସହମତି ଭିତ୍ତିରେ ବିଜେପି ରାଷ୍ଟ୍ରପତି କୋବିନ୍ଦଙ୍କ ଉତ୍ତରାଧିକାରୀ ନିଷ୍ପତ୍ତି ନେବ । ବିଜେଡି ରାଷ୍ଟ୍ରପତି ନିର୍ବାଚନରେ କେଉଁ ଭୂମିକା ଗ୍ରହଣ କରିବ, ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଦଳର ରାଜନୈତିକ ରଣନୀତିକୁ ଅନୁଶୀଳନ କଲେ ଏହା ସ୍ପଷ୍ଟ ଯେ, ନବୀନ ପଟ୍ଟନାୟକ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ସମ୍ଭାବନା ଅଧିକ ।

LEAVE A REPLY

Please enter your comment!
Please enter your name here