ଶୋକାକୁଳ ପରିବେଶ ଭିତରେ ଗଞ୍ଜାମର ଲୋକପ୍ରିୟ ନେତା ପୂର୍ବତନ ବାଚସ୍ପତି, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କର ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ସକାଳୁ ଭୁବନେଶ୍ବର ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଭିନ୍ନ ଦଳର ରାଜନେତା, ମନ୍ତ୍ରୀ, ବିଧାୟକ, ସାଂସଦ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାଙ୍କ ବାସଭବନରୁ ବିଧାନସଭାକୁ ମରଶରୀର ନିଆଯିବା ପରେ ସେଠାରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ଦିବଙ୍ଗତ ସୂର୍ଯ୍ୟ ପାତ୍ରଙ୍କୁ ଦଳୀୟ କର୍ମୀ ଓ ସହଯୋଗୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଆରମ୍ଭ ହୋଇଥିଲା ଦିଗପହଣ୍ଡିକୁ ଯାତ୍ରା । ପ୍ରିୟ ନେତାଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଥିଲା ଦିଗପହଣ୍ଡି । ରାସ୍ତାରେ ଦଳୀୟ କର୍ମୀ, ସମର୍ଥକ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦିଗପହଣ୍ଡିରେ ତୋପ ସଲାମି ପରେ ସୂର୍ଯ୍ୟ ପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ପଞ୍ଚଭୂତରେ ବିଲୀନ ହୋଇଯାଇଥିଲେ ସୂର୍ଯ୍ୟ । ଅସ୍ତମିତ ହୋଇଯାଇଥିଲେ ଗଞ୍ଜାମର ସୂର୍ଯ୍ୟ ।