ଦୀର୍ଘଦିନର ଅପେକ୍ଷା ପରେ ଭାରତୀୟ ହିନ୍ଦୁଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି I ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ସ୍ଥଳରେ ଆଜି ଶ୍ରୀରାମ ମନ୍ଦିରର ଭୂମିପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ର ଭାବେ ନିର୍ମିତ ରୂପା ଇଟାରେ ଶିଳାନ୍ୟାସ କରିବା ସହ ଭାରତୀୟଙ୍କ ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ବର୍ଣ୍ଣନା କରିଛନ୍ତି I ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ପରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଅସ୍ଥିତ୍ବ ଧ୍ବଂସ କରିବା ପାଇଁ ବହୁ ଉଦ୍ୟମ ହୋଇଥିଲେ ବି ମର୍ଯ୍ୟଦାବନ୍ତ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ସ୍ଥିତି ଜାହିର ରହିଛି I ସମଗ୍ର ଦେଶବାସୀଙ୍କ ପାଇଁ ଏହା ଐତିହାସିକ ଦିନ ଏବଂ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଭାରତର ସତ୍ୟ, ନ୍ୟାୟ, ଅହିଂସାକୁ ପ୍ରତିପାଦିତ କରୁଛି I ଶ୍ରୀରାମ କେବଳ ଅଯୋଧ୍ୟା ନୁହେଁ, ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଭାଷାରେ ରାମାୟଣ ରଚିତ ହୋଇଛି I କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ରାମଙ୍କ କଥାବସ୍ତୁ ଖୁବ୍ ଲୋକପ୍ରିୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି I ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବା ପରେ ସମଗ୍ର ଦେଶରେ ଏହି ସ୍ଥାନର ଚିତ୍ର ବଦଳି ଯିବ ବୋଲି ସେ କହିଛନ୍ତି I 67 ଏକର ଜମିରେ ନିର୍ମିତ ହେବାକୁ ଥିବା ଏହି ମନ୍ଦିରର ଉଚ୍ଚତା 360 ଫୁଟ ହେବ ଏବଂ 366ଟି ସ୍ତମ୍ଭ ରହିବ I ମନ୍ଦିରରେ 5ଟି ମଣ୍ଡପ ରଖାଯିବ ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯ଼ିବ I ଏହି ମନ୍ଦିର ନିର୍ମାଣ ପାଇଁ 3 ବର୍ଷ ସମୟ ଲାଗିବ I
ପୂର୍ବରୁ ଏହି ସ୍ଥଳକୁ ନେଇ ଉଭୟ ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ବିବାଦ ଲାଗି ରହି ଆସିଥିଲା I ହିନ୍ଦୁମାନେ ଏହାକୁ ଶ୍ରୀରାମଙ୍କ ଜନ୍ମଭୂମି ବୋଲି ଦାବି କରୁଥିବା ବେଳେ 1528ରେ ମୋଗଲ ଶାସକ ବାବର ମନ୍ଦିର ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ I 1949ରେ ମସଜିଦକୁ ଦଖଲ କରି ହିନ୍ଦୁ ଧର୍ମାବଲମ୍ବିମାନେ ସେଠାରେ ରାମଲାଲାଙ୍କ ପୂଜା ଆରମ୍ଭ କରିଥିଲେ I ତେବେ ଏହାକୁ ମୁସଲମାନମାନେ ଏହାକୁ ବିରୋଧ କରି ଆସୁଥିଲେ I ସରକାର ଏହି ସ୍ଥାନକୁ ବିବାଦୀୟ ସ୍ଥଳ ବୋଲି ଘୋଷଣା କରିବା ସହ ଫାଟକରେ ତାଲା ପକାଇ ଦେଇଥିଲେ I ଏହାପରଠୁ ବିଭିନ୍ନ ସମୟରେ ଦୁଇ ଧର୍ମାବଲମ୍ବିମାନେ ଅଦାଲତର ଦ୍ବାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳି ନଥିଲା I 1992ରେ କରସେବକମାନେ ବିବାଦୀୟ ମସଜିଦକୁ ଭାଙ୍ଗି ଦେଇଥିଲେ I ତେବେ ଏହାକୁ ନେଇ ରକ୍ତାକ୍ତ ସଂଘର୍ଷରେ ଦୁଇ ସଂପ୍ରଦାୟର ଦୁଇ ହଜାରରୁ ଅଧିକ ପ୍ରାଣ ହରାଇଥିଲେ I 2019 ନଭେମ୍ବର 9 ରେ ସୁପ୍ରିମକୋର୍ଟ ଏହି ବିବାଦୀୟ ସ୍ଥଳକୁ ରାମମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବା ସହ ଅନ୍ୟତ୍ର ମସଜିଦ ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ I

LEAVE A REPLY

Please enter your comment!
Please enter your name here