ଛତିଶଗଡ ଜିଲ୍ଲାର ବିଜାପୁରରେ ମାଓବାଦୀମାନେ ପୁଣି ଆତଙ୍କ ଖେଳାଇଛନ୍ତି. ସୁରକ୍ଷାକର୍ମୀଙ୍କ ବୁଲେଟପ୍ରୁଫ୍ ଗାଡିକୁ ମାଓବାଦୀମାନେ ଉଡାଇଦେଇଛନ୍ତି. ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସର ଚାରିଜଣ ଯବାନ ଶହିଦ ହୋଇଛନ୍ତି ଓ ଦୁଇ ଜଣ ଗୁରୁତର ଅବସ୍ଥାରେ ଅଛନ୍ତି. ତେବେ ସବୁଠୁ ଦୁଃଖର କଥା ହେଲା ଯେ, ଶହିଦ ହୋଇଥିବା ଚାରିଜଣଙ୍କ ମଧ୍ୟରେ ଥିଲେ ଜଣେ ଓଡିଆ ଯବାନ. ଯାହାର ନାମ ବ୍ରଜମୋହନ ବେହେରା. ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ନଦୁଆଁ ଗାଁରେ. ପୁଅର ମୃତ୍ୟୁ ଖବର ଶୁଣିବା ପରେ ଗାଁ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି. ବାପା ଓ ମା’ ପୁଅକୁ ହରାଇ ଧୈର୍ୟ୍ୟହରା ହୋଇପଡିଛନ୍ତି. ତେବେ ବ୍ରଜଙ୍କ ମୃତ ଶରୀରକୁ ବିମାନ ଯୋଗେ ଓଡିଶା ଅଣାଯାଉଛି. ଋବିବାର ଦିନ ୩.୦୫ ରେ ଏହି ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ରହିଛି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶନିବାରଦିନ ଓପନିଂ ଡ୍ୟୁଟି ରେ ବାହାରିଥିଲେ ୧୬୮ ବାଟାଲିୟନର ଯବାନମାନେ. ବୁଲେଟପ୍ରୁଫ୍ ଗାଡିରେ ଚାଲିଥିଲା ଏହି ପାଟ୍ରୋଲିଂ. ହେଲେ ଦୁର୍ଭାଗ୍ୟବଶତଃ ମାଓବାଦୀ ସେମାନଙ୍କ ପାଇଁ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଠିକ୍ ସମୟରେ ବିସ୍ଫୋରଣ ହୋଇଥିଲା. ତା ପରେ ସେଠାରେ ସିଆରପିଏଫର ବରିଷ୍ଠ ଅଧିକାରୀ ପହଞ୍ଚିବା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା. ତେବେ ଘଟଣାରେ ଗୁରୁତର ହୋଇଥିବା ଯବାନଙ୍କ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି.