ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳା ଭିତରେ ଚାଲିଛି ମତଦାନ । କୋଭିଡ କଟକଣା ଭିତରେ ସକାଳ ସାତଟାରୁ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରୁଛନ୍ତି । ସାମାଜିକ ଦୂରତା, ମାସ୍କ ସାଙ୍ଗକୁ ଭୋଟରଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯାଉଛି । ଦିନ ଗୋଟାଏ ସୁଦ୍ଧା ହାରାହାରୀ 40 ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ବାଲେଶ୍ବରରେ 41.36 ପ୍ରତିଶତ ଏବଂ ତିର୍ତ୍ତୋଲରେ 39.68 ପ୍ରତିଶତ ମତଦାନ ହୋଇଛି । ବାଲେଶ୍ବର ସଦର ଆସନରୁ ନିର୍ବାଚିତ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ବିଜେପି ପ୍ରାର୍ଥୀ କରିିଥିବା ବେଳେ ବିଜେଡି ଏଠାରେ ଜଣେ ନୂଆ ପ୍ରାର୍ଥୀ ସ୍ବରୁପ ଦାସଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି କଂଗ୍ରେସ ମମତା କୁଣ୍ଡୁଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲ ଆସନରୁ ନିର୍ବାଚିତ ବିଜେଡି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ହେଉଥିବା ଉପନିର୍ବାଚନରେ ବିଜେଡି ବିଷ୍ଣୁ ଦାସଙ୍କ ପୁଅ ବିଜୟଙ୍କୁ ପ୍ରାର୍ଥୀ କରିଛି । ଗତଥର ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର ରାଜ କିଶୋର ବେହେରାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି । ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ । କଂଗ୍ରେସ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି । ତେବେ କୋଭିଡ କଟକଣା ଭିତରେ ତିନି ପ୍ରମୁଖ ଦଳର ନେତାମାନେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here