କଂଗ୍ରେସରେ ଶୃଙ୍ଖଳା ରାଜନୀତି । ଦଳକୁ ଶୃଙ୍ଖଳିତ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ପ୍ରଥମରୁ ଦଳ ଭିତରେ ରହି ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଆକ୍ସନ ନିଆଯାଇଛି । ସେଥିପାଇଁ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଆଯାଇଛି । ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଶ୍ରୀକାନ୍ତ ଜେନା ଓ କୃଷ୍ଣ ଚନ୍ଦ୍ର ସଗରିଆ ଦଳ ଭିତରେ ରହି ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରୁଥିଲେ। ଏସମ୍ପର୍କରେ ଦଳର ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧିଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।
ଅନ୍ୟପଟେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରାଯିବା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଜଣେ ଜ୍ଞାନୀ, ଗୁଣି ଓ ବରିଷ୍ଠ ନେତା ହେଲେ ମଧ୍ୟ ଯୁଗ ଉପଯୋଗୀ ପାଇଁ ତାଙ୍କ ଭଳି ଜ୍ଞାନୀ ଗଣେଶ୍ୱର ବେହେରାଙ୍କୁ ଏହି ଦାୟିତ୍ୱରେ ରଖାଯାଇଛି । ଶ୍ରୀ ବେହେରା ରାଜ୍ୟ ସାରା ବୁଲି କାମ କରିପାରିବେ ।

କଂଗ୍ରେସର ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ଶ୍ରୀ ଜେନା କଂଗ୍ରେସ ଦଳ ଖଣି ମାଫିଆଙ୍କ ଦଳ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଠିକ୍ ନୁହେଁ । ଯିଏ ଏପରି କହୁଛି ସେ ଦଳ ଛାଡି ଚାଲି ଯିବା ଦରକାର । ଦଳ ଭିତରେ ତାଙ୍କୁ ଚକ୍ରାନ୍ତ ଜେନା ବୋଲି କୁହାଯାଏ । ବିଭିନ୍ନ ସମୟରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇ କଂଗ୍ରେସର ବହୁ କ୍ଷତି କଲେଣି । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଏହା ଉପରେ ବିଚାର କରିବା ଦରକାର । ଶ୍ରୀ ଜେନା ମନ୍ତ୍ରୀ ଥିବା ବେଳେ କଣ କରିଥିଲେ । ସେ ଆତ୍ମ ସମୀକ୍ଷା କରନ୍ତୁ । ଶୃଙ୍ଖଳା କମିଟି ତାର ବିଚାର କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here