ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ । ବିଶେଷକରି ରେଳ ଦୁର୍ଘଟଣାରେ ହାତୀ ମୃତ୍ୟୁ ହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ହାତୀ ମୃତ୍ୟୁକୁ ରୋକିବାକୁ ଏକ ଅଭିନବ ପନ୍ଥା ଗ୍ରହଣ କରିବାକୁ ରେଳ ଓ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏଣିକି ରେଳ ଲାଇନ କଡରେ ଏକ ପ୍ରକାର ମେସିନ ଲଗାଯିବ । ଯେଉଁଥିରୁ ଶୁଭିବ ମହୁମାଛିଙ୍କ ଗୁଞ୍ଜନ । ଯାହା ଫଳରେ ଆଉ ହାତୀ ରେଳଧାରଣା ପାଖ ମାଡିବେନି ଏବଂ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ପିସିସିଏଫ ସୁଦର୍ଶନ ପଣ୍ଡା ସୁଚନା ଦେଇଛନ୍ତି ।
ସୁଚନାଅନୁସାରେ, ଶୁକ୍ରବାର ରେଳ ବିଭାଗ, ଶକ୍ତି ବିଭାଗ ଓ ବନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ହାତୀ ମୃତ୍ୟୁ କିପରି ରୋକାଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ରେଳଧାରଣା କଡ଼ରେ ମହୁମାଛି ବାହାରୁଥିବା ଶବ୍ଦ ମେସିନ ଲଗାଯିବା ନେଇ ନିଷ୍ପତି ହୋଇଥିଲା । ରେଳ ଚଳାଚଳ ସମୟରେ ଏହି ମେସିନଟି ମହୁମାଛି ପରି ଶବ୍ଦ କରିବ । ଫଳରେ ହାତୀମାନେ ସେହି ସମୟରେ ଆଉ ଟ୍ରେନ୍ ଲାଇନ୍ ପାଖକୁ ଆସିପାରିବେ ନାହିଁ। ପ୍ରାଥମିକ ପର୍ୟ୍ୟାୟରେ ଏହି ବ୍ୟବସ୍ଥା ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ କରାଯିବ । ଯାହା ପାଇଲଟ ପ୍ରୋଜେକ୍ଟରେ ନାମିତ ହେବ । ପରବର୍ତ୍ତୀ ପର୍ୟ୍ୟାୟରେ ଅନ୍ୟ ହାତୀ ଚଳପ୍ରଚଳ ସ୍ଥାନ ମାନଙ୍କରେ ଏହି ମେସିନ ଲଗାଯିବ । ଏଥିପାଇଁ ସ୍ଥାନ ଚିହ୍ନଟ କରିବାକୁ ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳର ବନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପିସିସିଏଫ ଶ୍ରୀ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here