ବାରମ୍ବାର ପୋଲିସ ଓ ସେବାୟତଙ୍କ ବିବାଦ ମଧ୍ୟରେ ପେଷି ହୋଇଯାଉଛନ୍ତି ମହାପ୍ରଭୁ । ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ହୋଇନି । ଦ୍ୱାର ନ ଫିଟିବାରୁ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ମଧ୍ୟ ନିରାଶ ହୋଇଛନ୍ତି ଭକ୍ତ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତମାନେ ନିଜର ଭାବାବେଗକୁ ଅଟକାଇପାରିନାହାନ୍ତି । ଦୂରଦୂରନ୍ତାରୁ ଆସି ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଶେଷରେ ଶ୍ରୀମନ୍ଦିର ଭିତରକୁ ଧସେଇ ପଶିଛନ୍ତି ଭକ୍ତ । ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଭକ୍ତମାନେ ତାତି ଉଠିଥିଲେ । ଲୁହା ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଠେଲାପେଲା କରି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ପୋଲିସ ଓ ଭକ୍ତ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

   ଗତକାଲି ସିଂହଦ୍ୱାର ସମ୍ମୁଖରେ ପୋଲିସ ଓ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯାହାକୁ କେନ୍ଦ୍ର କରି ଆଜି ସକାଳୁ ସେବାୟତମାନେ ଦ୍ୱାର ଖୋଲିନାହିଁନ୍ତି । ପୋଲିସର ଜୁଲମକୁ ବିରୋଧ କରି ସେବାୟତମାନେ ନୀତିରେ ଅସହଯୋଗ କରିଛନ୍ତି । ସିଂହଦ୍ୱାର ଖୋଲା ରହିଥିବାବେଳେ ସକାଳ ୧୦ଟା ସୁଦ୍ଧା ବେହରଣ ଓ ଜୟବିଜୟ ଦ୍ୱାର ଖୋଲି ନ ଥିଲା । ଫଳରେ ମଙ୍ଗଳ ଆଳତୀ ନୀତି ପ୍ରଭାବିତ ହୋଇଛି । ଶୀଜୀଉଙ୍କର ଦର୍ଶନ ନ ପାଇ ଶ୍ରଦ୍ଧାଳୁମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।
ସୁଚନାନୁସାରେ, ଗତକାଲି ତିନିଜଣ ବଙ୍ଗୀୟ ପର୍ୟ୍ୟଟକଙ୍କୁ ନେଇ ଦର୍ଶନ ନେଇ ବିବାଦ ଦେଖାଦେଇଥିଲା । ସେବାୟତ ଭବାନୀ ଶଙ୍କର ମହାପାତ୍ର ସେମାନେ ପଶ୍ଚିମବଙ୍ଗରୁ ଆସିଥିବା କହି ଦର୍ଶନ ପାଇଁ ନେଇ ଯାଉଥିବାବେଳେ ପୋଲିସ ଅଟକାଇଥିଲା । ଭକ୍ତଙ୍କ ମଧ୍ୟରେ ଜଣେ ବିଦେଶୀ ଥିବା ନେଇ ପରିଚୟ ପତ୍ର ମାଗିଥିଲେ ପୋଲିସ । ଏହାରି ମଧ୍ୟରେ ପୋଲିସ ଓ ସେବାୟତ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଏବଂ ଭବାନୀ ଶଙ୍କର ମହାପାତ୍ରଙ୍କର ନାକ ଫାଟି ଯାଇଥିଲା । ପୋଲିସ ବିଶ୍ୱଜିତ ପରିଡାଙ୍କ କହିବାନୁଯାୟୀ ତିନିଜଣଙ୍କ ମଧ୍ୟରେ ଜଣେ ବିଦେଶୀ ରହିଥିବାରୁ ସେମାନେ ପରିଚୟ ପତ୍ର ମାଗିଥିଲେ । ଏହି ଘଟଣାକୁ ନେଇ ଭିତରଛୁ ସେବାୟତମାନେ ସିଂହଦ୍ୱାର ଥାନାରେ ଏତଲା ଦେବା ସହ ପୋଲିସ ପକ୍ଷରୁ ମଧ୍ୟ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here