ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଚାରୋଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବ । ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ସମେତ ଚାରୋଟି ରାଜ୍ୟ ସିକିମ, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସମଗ୍ର ଦେଶରେ 543 ଲୋକସଭା ଆସନ ପାଇଁ ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଓଡିଶାରେ ଚାରୋଟି ପର୍ଯ୍ୟାରେ ଭୋଟଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଭୋଟ ମେ 13, ଦ୍ବିତୀୟ ପର୍ଯ୍ୟାୟ ଭୋଟ ମେ 20, ତୃତୀୟ ପର୍ଯ୍ୟାୟ ଭୋଟ ମେ 25 ଏବଂ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ ଜୁନ 1 ତାରିଖରେ ହେବ ।

ପ୍ରଥମ ପର୍ଯ୍ୟାୟରେ ଓଡିଶାର ଚାରୋଟି ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 28ଟି ବିଧାନସଭା ଆସନ ପାଇଁଭୋଟ ଗ୍ରହଣ କରାଯିବ । ଏଥିପାଇଁ ଏପ୍ରିଲ 18 ରୁ 25 ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ । ଏପ୍ରିଲ 26ରେ ନାମାଙ୍କନ ଯାଞ୍ଚ ଓ 29ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି । ମେ 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ ଏହିସବୁ ଆସନ ପାଇଁଭୋଟ ଗ୍ରହଣ କରାଯିବ ।

ସେହିପରି ଦ୍ବିତୀୟ ପର୍ଯ୍ୟାରେ ଓଡିଶାର ପାଞ୍ଚଟି ଲୋକସଭା ଆସନ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ଆସନ ଏବଂ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । ଏହିସବୁ ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଏପ୍ରିଲ 26 ରୁ ମେ 3 ତାରିଖ ରଖାଯାଇଛି । ଭୋଟଗ୍ରହଣ ମେ 20ରେ ହେବ ।

ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ 6ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ହେବ । ଏଥିପାଇଁ ନାମାଙ୍କନପତ୍ର ଦାଖଲ ସମୟ ଏପ୍ରିଲ 29 ରୁ ମେ’ 6 ତାରିଖ ରଖାଯାଇଛି । ମେ’ 25 ତାରିଖରେ ଭୋଟ ଗ୍ରହଣ ହେବ ।

ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ 6ଟି ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ହେବ । ଏଥିପାଇଁ ନାମାଙ୍କନପତ୍ର ଦାଖଲ ଅବଧି ମେ’ 14 ରୁ ମେ’ 15 ରହିଛି । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜୁନ 1 ତାରିଖରେ ହେବ ।

LEAVE A REPLY

Please enter your comment!
Please enter your name here