ଦେଶର ସବୁଠୁ ବଡ ପ୍ରତିବାଦ । କେନ୍ଦ୍ର ସରକାରଙ୍କ ଚାଷୀ ନୀତି ବିରୋଧରେ ହଜାର ହଜାର ଚାଷୀ ଗତ ଆଠଦିନ ଧରି ଶୀତ କାକରରେ ପଡି ଦିଲ୍ଲୀ ସୀମାନ୍ତ ରାଜରାସ୍ତାରେ ପ୍ରତିବାଦ କରିବା ନୂଆ ଇତିହାସ ସୃଷ୍ଟି କରିଛି । ଦିଲ୍ଲୀ ହରିୟାଣା ରାସ୍ତା ସିଙ୍ଗୁଆ, ନଏଡା ଉତ୍ତର ପ୍ରଦେଶ ରାସ୍ତା, ଦିଲ୍ଲୀ ମିରଟ ଜାତୀୟ ରାଜପଥରେ ହଜାର ହଜାର ଚାଷୀ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି । ମୁଖ୍ୟତଃ ତିନିଦଫା ଦାବି ପୂରଣ ପାଇଁ ଚାଷୀଙ୍କ ଆନ୍ଦୋଳନ ମୋଦୀ ସରକାରର ନିଦ ହଜେଇ ଦେଇଛି । 32ଟି ଚାଷୀ ସଂଗଠନର ନେତା ଏକାଠି ହୋଇ ବୈଠକରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିବା କହିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି, କେନ୍ଦ୍ର ସରକାରଙ୍କ ଚାଷୀ ନୀତି ବିବାଦୀୟ ଏବଂ ଏହା ଗ୍ରହଣୀୟ ନୁହେଁ । ସେହିପରି ଏମଏସପି ସର୍ବନିମ୍ନ ସହାୟକ ମୂଲ୍ୟ ପୁନର୍ବାର ଲାଗୁ କରିବା ଉପରେ ଚାଷୀ ସଂଗଠନ ଗୁରୁତ୍ବ ଦେଇଛି । ଚାଷୀ ସଂଗଠନ ସହ କେନ୍ଦ୍ର ସରକାରଙ୍କ ଆଲୋଚନା ବିଫଳ ହୋଇଥିବା ବେଳେ ଆଜି ପୁଣିଥରେ ଆଲୋଚନା ପାଇଁ ସ୍ଥିର କରାଯାଇଛି । ଯଦି ସରକାର ଚାଷୀଙ୍କ ଦାବି ନ ମାନନ୍ତି, ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀ ସଂଗଠନ ଘୋଷଣା କରିଛି । କେବଳ ଦିଲ୍ଲୀକୁ ସଂଯୋଗ କରାଯାଉଥିବା ରାସ୍ତା ନୁହେଁ, ସମଗ୍ର ଦିଲ୍ଲୀକୁ ଅଚଳ କରିଦିଆଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛନ୍ତି । ଚାଷୀ ଆନ୍ଦୋଳନକୁ ଦେଶର ବିଭିନ୍ନ ଚାଷୀ ସଂଗଠନ ସମର୍ଥନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here