ତିର୍ତ୍ତୋଲ ବିଧାନସଭାରେ ବିଜେଡି ଆଗୁଆ । ୨୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୩୯, ୫୧୧ ଭୋଟରେ ଆଗରେ ରହିଛି । ବାଲେଶ୍ୱରରେ ମଧ୍ୟ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ମିଳିଛି ୮୨,୮୧୦ । ଏବଂ ବିଜେପି ପ୍ରାର୍ଥୀ ମାନଓ ଦତ୍ତଙ୍କୁ ମିଳିଛି ୬୯,୪୧୫ ଭୋଟ । ଏବଂ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ମିଳିଛି ୧୨୪୫ ଭୋଟ୍ ।
ଉପନିର୍ବାଚନରେ ବିଜେଡିର ବାଜିମାତ୍ । ଶଙ୍ଖ ଶଦ୍ଦରେ ମଉଳି ଗଲା ପଦ୍ମ ପାଖୁଡା । ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟ ବାନା ଉଡାଇଛି ବିଜେଡି । ପୂର୍ବରୁ ବାଲେଶ୍ବର ସଦର ଆସନ ବିଜେପି ହାତରେ ଥିବା ବେଳେ ଉପନିର୍ବାଚନରେ ବିଜେପି ହାତରୁ ଛଡାଇ ଆଣିବାରେ ସଫଳ ହୋଇଛି ବିଜେଡି । ତିର୍ତ୍ତୋଲ ଆସନରେ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ହରାଇ ବିଜୟ ଲାଭ କରିଛନ୍ତି । ସେହିପରି ବାଲେଶ୍ବର ସଦର ଆସନରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ହରାଇ ବିଜେଡି ପ୍ରାର୍ଥୀ ସ୍ବରୁପ ଦାସ ବିଜୟ ଲାଭ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ବାଲେଶ୍ବର ସଦର ଆସନ ବିଜେପି ହାତକୁ ଯାଇଥିଲା ଏବଂ ମଦନ ମୋହନ ଦତ୍ତ ବିଜୟ ଲାଭ କରିଥିଲେ । ମଦନ ମୋହନଙ୍କ ବିୟୋଗ ପରେ ହେଉଥିବା ଉପନିର୍ବାଚନରେ ବିଜେପି ତାଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରିଥିଲେ ହେଁ ନିର୍ବାଚନ ଜିତିବାରେ ବିଫଳ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମାରାଥନ ରୋଡ୍ ସୋ ଓ ପ୍ରଚାର ସତ୍ତ୍ବେ ଦଳକୁ ଜିତିଥିବା ଆସନକୁ ହରାଇବାକୁ ପଡିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଥମଥର ପାଇଁ ଉପନିର୍ବାଚନ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇ ନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ପାଇଁ ପ୍ରଚାର ଠାରୁ ନିରାପଦ ଦୂରତ୍ବରେ ଥିବା ନବୀନ ଭର୍ଚୁଆଲ ରାଲିରେ ଉଦବୋଧନ ଦେଇଥିଲେ । ତେଣୁ ନବୀନଙ୍କୁ ବାଦ୍ ଦେଇ ନିର୍ବାଚନ ଜିତିବା ଦଳୀୟ ନେତାଙ୍କ ପାଇଁ ଏକ ପ୍ରକାର ଚାଲେଞ୍ଜ ଥିଲା । ତିର୍ତ୍ତୋଲ ଆସନରେ ଦଳର ସହଜସାଧ୍ୟ ବିଜୟ ନେଇ ଆକଳନ କରାଯାଇଥିଲା । କିନ୍ତୁ ବାଲେଶ୍ବର ସଦର ଆସନ ପୂର୍ବରୁ ବିଜେପି ହାତରେ ଥିବାରୁ ଜିତିବା ଅପେକ୍ଷାକୃତ କଷ୍ଟକର ଥିଲା । ଟିକଟକୁ ନେଇ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଅସନ୍ତୋଷ ପରେ ଏହି ଆସନକୁ ବଞ୍ଚାଇ ରଖିବା ପାଇଁ ବିଜେପି ନେତାମାନେ ଆଶାବାଦୀ ହୋଇପଡିଥିଲେ । ମାତ୍ର ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଗୋଟି ଚାଳନା ଆଗରେ ଫେଲ୍ ମାରିଥିଲା ବିଜେପିର ଷ୍ଟ୍ରାଟେଜୀ । ତେବେ ବାଲେଶ୍ବର ସଦର ଉପନିର୍ବାଚନରେ ସୋସିଆଲ ମିଡିଆରେ ସବୁଠୁ ଚର୍ଚ୍ଚିତ ପ୍ରାର୍ଥୀ ଥିଲେ ବେଣୁ ମଉସା ଓରଫ ବେଣୁଧର ବାରିକ । ପାଖାପାଖି ନବେ ବର୍ଷ ବୟସରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ବେଣୁ ମଉସା । ସାମାଜିକ କର୍ମୀଙ୍କଠୁ ଆରମ୍ଭ କରି ରାଣୀ ପଣ୍ଡାଙ୍କ ଭଳି ଅଭିନେତ୍ରୀ ବି ସାମିଲ ହୋଇଥିଲେ ବେଣୁ ମଉସାଙ୍କ ପ୍ରଚାରରେ । କିନ୍ତୁ ବ୍ୟୟ ବହୁଳ ନିର୍ବାଚନ ପ୍ରଚାର ପ୍ରତିଦ୍ବନ୍ଦିତା ଭିତରେ ବହୁ ପଛରେ ପଡିଯାଇଥିଲେ ବେଣୁ ମଉସା ।

LEAVE A REPLY

Please enter your comment!
Please enter your name here