ଆଉ ବ୍ୟୟବହୁଳ ହେବନି ଇକମୋ ଚିକିତ୍ସା । ବିନା ମୂଲ୍ୟରେ ଗୁରୁତର ରୋଗୀଙ୍କୁ ମିଳିବ ସୁବିଧା । ଆଜିଠୁ ମାଗଣାରେ ମିଳିବ ଇକମୋ ଚିକିତ୍ସା । ଆଜି ଏସସିବି ମେଡିକାଲରେ ଉଦଘାଟିତ ହୋଇଛି ଇକମୋ ଚିକିତ୍ସା ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେସିନର ଉଦଘାଟନ କରିଛନ୍ତି । ଏସସିବି ମେଡିକାଲରେ ମୋଟ ୯ଟି ଇକମୋ ମେସିନର ବ୍ୟବସ୍ଥା ରହିଛି । ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଏକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ବୋସ ଅସ୍ଥାୟୀ ହ୍ୟାଲିପେଡ୍‌ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଏସ୍‌ସିବି ଅଭିମୁଖେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେଠାରେ ପୂର୍ବ ଭାରତର ଏହି ବଡ଼ ଏକମୋ ୟୁନିଟ ଉଦ୍‌ଘାଟନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଇକମୋ ଚିକିତ୍ସା ଖୁବ୍ ବ୍ୟୟବହୁଳ । ତେଣୁ ରାଜ୍ୟ ସରକାର ଏହି ସେବା ମାଗଣାରେ ଲୋକଙ୍କୁ ଯୋଗାଇବେ । ଦ୍ୱିତୀୟ ଲହରର ସ୍ମୃତି ଖୁବ୍ କଷ୍ଟଦାୟକ । ଲକଡାଉନ କୋହଳ ହୋଇଛି, ହେଲେ ବିପଦ ଟଳିନି । ତୃତୀୟ ଲହର ମୁକାବିଲା ପାଇଁ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁ ବେଶି ସଂକ୍ରମିତ ହେବା ଆଶଙ୍କା ରହିଛି । ପିଲାଙ୍କ ସୁରକ୍ଷା ପାଇଁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ତେବେ ଆଜିର ଏହି ଗସ୍ତ ସମୟରେ ତାଳଦଣ୍ଡା କେନାଲ ରୋଡ୍ ହୋଇ ଏସ୍‌ସିବିରେ ପହଞ୍ଚିଥିଲେ । ଏହି ସମୟରେ କିଛି ସମୟ ପାଇଁ ତାଳଦଣ୍ଡା କେନାଲ ରୋଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ସହ ସେଠାକାର ସୁନ୍ଦରତାକୁ ଉପଭୋଗ କରିଥିଲେ ଏବଂ ଫଟୋ ମଧ୍ୟ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here