ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ସ୍କାମ ଅଭିଯୋଗରେ ସିବିଆଇ ଗିରଫ କରିବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିସୋଦିଆ । ଗତକାଲି ସିବିଆଇ ସିସୋଦିଆଙ୍କୁ 5 ଦିନ ରିମାଣ୍ଡରେ ନେଇଛି । ତେବେ ସିସୋଦିଆଙ୍କ ପକ୍ଷରୁ ଓକିଲ ଅଭିଷେକ ସିଘଓ୍ବି ସୁପ୍ରିମକୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବା ସହ ତୁରନ୍ତ ଶୁଣାଣୀ ପାଇଁ ନିବେଦନ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି. ଓ୍ବାଇ ଚନ୍ଦ୍ରଚୂଡ୍ ସୁପ୍ରିମକୋର୍ଟ ଆସିବା ପୂର୍ବରୁ କଣ ପାଇଁ ହାଇକୋର୍ଟରେ ଆବେଦନ କଲେନାହିଁ ବୋଲି ଓକିଲ ସିଂଘଓ୍ବିଙ୍କୁ ପ୍ରଶ୍ନ କରିଥିଲେ । ତେବେ ପୂର୍ବରୁ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ମାମଲା ପ୍ରସଙ୍ଗର ଉଦାହରଣ ଦେଇ ସେ ଏହାକୁ ବିଚାର କରିବାକୁ ନିବେଦନ କରିଥିଲେ । ସୁପ୍ରିମକୋର୍ଟ ମାମଲାଟିକୁ ଗ୍ରହଣ କରିଛନ୍ତି ।

ଗତକାଲି ସିବିଆଇ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ସିସୋଦିଆ ଆପ୍ ସରକାରର ଅବକାରୀ ନୀତିରେ ଥିବା କେତେକ ଦ୍ବନ୍ଦାତ୍ମକ ବ୍ୟବସ୍ଥା ସଂପର୍କିତ ପ୍ରଶ୍ନର ସଠିକ ଉତ୍ତର ଦେଉନାହାନ୍ତି । ନୂଆ ଅବକାରୀ ନୀତି ମାଧ୍ୟମରେ ସିସୋଦିଆ 30 କୋଟି ଟଙ୍କାର କିକବ୍ୟାକ ନେଇଥିବା ସିବିଆଇ ଅଭିଯୋଗ କରିଛି । କିଛି ନ୍ୟସ୍ତ ସ୍ବାର୍ଥ ବ୍ୟବସାୟୀଙ୍କୁ ସୁହାଇଲା ଭଳି ଆପ୍ ସରକାର ନୂଆ ମଦନୀତି କରିଥିବା ଦର୍ଶାଯାଇଛି ।

ସିସୋଦିଆଙ୍କ ଗିରଫଦାରିକୁ ଆମ ଆଦମୀ ପାର୍ଟି ସହ ତୃଣମୂଳ କଂଗ୍ରେସ ମଧ୍ୟ ବିଜେପିକୁ କଡା ସମାଲୋଚନା କରିଛି । ବିଜେପି ସରକାର ସିବିଆଇକୁ ଅସ୍ତ୍ର କରି ବିରୋଧୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି ବୋଲି ମମତା ବାନାର୍ଜୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here