ଭୟଙ୍କାର ବାହାନଗା ଟ୍ରେନ ଦୁର୍ଘଟଣାର ତିନିଦିନ ପରେ ବି ମୃତ ଯାତ୍ରୀଙ୍କୁ ଚିହ୍ନଟ କରାଯାଇପାରିନି । କଟକ, ଭୁବନେଶ୍ବରର ବିଭିନ୍ନ ହସପିଟାଲରେ ମୃତଦେହକୁ ସଂରକ୍ଷିତ ରଖାଯାଇଛି । ମୃତଦେହ ଚିହ୍ନଟ ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରରେ ମହାନଗର ନିଗମ ପକ୍ଷରୁ ସେଣ୍ଟର ଖୋଳାଯାଇଛି । ମାତ୍ର ଦୂରଦୂରାନ୍ତରୁ ଟ୍ରେନଯାତ୍ରୀଙ୍କ ସଂପର୍କୀୟମାନେ ଓଡିଶା ଆଜି ଏବେ ମୃତଦେହ ଖୋଜୁଛନ୍ତି । ବାପା ପୁଅକୁ ଖୋଜୁଛି, ପୁଅ ବାପାକୁ ଖୋଜୁଛି । ହସପିଟାଲକୁ ହସପିଟାଲ ବୁଲି ଆହତ ଯାତ୍ରୀଙ୍କୁ ଖୋଜୁଛନ୍ତି । ଜଣେ ଯାତ୍ରୀଙ୍କ ସଂପର୍କୀୟ କହିଛନ୍ତି, ସେ ତିନିଦିନ ହେଲାଣି ବାଲେଶ୍ବର, ଭୁବନେଶ୍ବର, କଟକର ବିଭିନ୍ନ ହସପିଟାଲ ବୁଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ତାଲିକା ଖୋଜୁଛନ୍ତି । ମୃତକଙ୍କ ଫଟୋ ତାଲିକାରେ ତାଙ୍କ ସଂପର୍କୀୟ ନାହାନ୍ତି । ହସପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରେ ବି ପାଉନାହାଁନ୍ତି ।
ଆଉ ଜଣେ ଯାତ୍ରୀଙ୍କ ସଂପର୍କୀୟ କହିବା କଥା, ସେ ଏମ୍ସ ହସିପଟାଲରୁ ଦି ଜଣ ସଂପର୍କୀୟଙ୍କ ମୃତଦେହ ଚିହ୍ନଟ କରିସାରିଛନ୍ତି । ମାତ୍ର ଆଉ ତିନିଜଣଙ୍କୁ କୋଉଠି ବି ପାଉନାହାନ୍ତି ।
ଏମିତି ଅନେକ ଟ୍ରେନ ଯାତ୍ରୀଙ୍କ ସଂପର୍କୀୟମାନେ ବାଲେଶ୍ବରରୁ ଭୁବନେଶ୍ବର ଘୁରି ବୁଲୁଥିଲେ ବି ସଂପର୍କୀୟଙ୍କ ପତ୍ତା ପାଇନାହାଁନ୍ତି । ପ୍ରଶାସନ ପ୍ରସ୍ତୁତ କରିଥିବା ତାଲିକାରେ ମୃତକଙ୍କ ଫଟୋ ସଂଲଗ୍ନ ଡାଏରୀ ପ୍ରସ୍ତୁତ କରାଯାଇଛି । ସେହିପରି କେଉଁ ହସପିଟାଲରେ କିଏ ଚିକିତ୍ସା ହେଉଛନ୍ତି, ତାର ବି ଏକ ତାଲିକା ରହିଛି । ମାତ୍ର ପ୍ରଶାସନ ପ୍ରସ୍ତୁତ ଉଭୟ ତାଲିକାରେ ସଂପର୍କୀୟଙ୍କୁ ନ ପାଇ ଅନେକ ଯାତ୍ରୀଙ୍କ ଆତ୍ମୀୟସ୍ବଜନ ନିରାଶ ହେଉଛନ୍ତି । ଆଖିରୁ ଲୁହ ଗଡାଇ ମୃତକଙ୍କ ତାଲିକା ଭିତରେ ନିଜ ଆତ୍ମୀୟସ୍ବଜନଙ୍କୁ ଖୋଜୁଥିବା ସଂପର୍କୀୟମାନେ କହୁଛନ୍ତି, ହେ ପ୍ରଭୁ ଏ ତାଲିକାରେ ସେମାନଙ୍କ ନାଁ ନ ଥାଉ ।

LEAVE A REPLY

Please enter your comment!
Please enter your name here