ଅଧିକାଂଶ ସହରରେ ପେଟ୍ରୋଲ ରେଟ୍ ଶହେ ଟପିଗଲାଣି I କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସଫେଇ ଦେଇଛନ୍ତି, ଦୁଇଟି କାରଣ ପାଇଁ ତୈଳ ଦର ବୃଦ୍ଧି ହେଉଛି । ଗୋଟିଏ ହେଲା ଅନ୍ତର୍ଜାତୀୟ ବଜାରରେ ତୈଳଦର ବୃଦ୍ଧି ଏବଂ ଦ୍ବିତୀୟ କାରଣ ହେଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଟିକସ । ଏ ଦୁଇଟି କାରଣ ପାଇଁ ତୈଳ ଦର ବୃଦ୍ଧି ହେଉଛି, ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ତୈଳଦର କେମିତି ହ୍ରାସ କରାଯିବ, ତାର ମେକାନିଜମ୍ ବାହାର କରିବା ସରକାରଙ୍କ ଦାୟିତ୍ବ । ବିଭାଗୀୟ ମନ୍ତ୍ରୀ ହିସାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯଦି ତାର ସୂତ୍ର ବାହାର କରି ତୈଳଦର ହ୍ରାସ କରିପାରିଥାନ୍ତେ, ତାହେଲେ ହୁଏତ ଦେଶବାସୀ ଉପକୃତ ହୋଇଥାନ୍ତେ । ଯଦିଓ କେନ୍ଦ୍ରରେ ପେଟ୍ରୋଲିୟମ ବିଭାଗ ଦାୟିତ୍ବ ନେବା ପରଠୁ ଧର୍ମେନ୍ଦ୍ର ପ୍ରଧାନ ଅନେକ ଗୁଡିଏ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, କିନ୍ତୁ ପେଟ୍ରୋଲ ଡିଜେଲ ଦର ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି ।
ଆମେ ସମସ୍ତେ ଜାଣିଛନ୍ତି, ପେଟ୍ରୋଲ ଓ ଡିଜେଲ ଉପରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେମିତି ଉଚ୍ଚହାରରେ ଟିକସ ଆଦାୟ କରୁଛନ୍ତି । ମାତ୍ର ଏକଥା ଜାଣି ବି ଆମେ କେତେବେଳେ ପ୍ରତିକ୍ରିୟା ପ୍ରକାଶ କରୁନୁ । ପ୍ରତିକ୍ରିୟା ପ୍ରକାଶ ନ କରିବା ପଛରେ ଏକ ମୂଳ କାରଣ ହେଉଛି, ଆମେ ଭୁଲିଯାଉଛୁ ଯେ, ଆମେ ଗୋଟିଏ ଲିଟର ପେଟ୍ରୋଲ ପକାଇବା ବେଳେ କେତେ ଟଙ୍କା ପେଟ୍ରୋଲ ପାଇଁ ଦେଉଛୁ ଏବଂ କେତେଟଙ୍କା ଟିକସ ବାବଦରେ ଦେଉଛୁ । ଆଜି ଦିନରେ ଯଦି ଗୋଟିଏ ଲିଟର ପେଟ୍ରୋଲର ଦାମ 96 ଟଙ୍କା ରହିଛି, ତେବେ କେନ୍ଦ୍ର ସରକାରଙ୍କ ପକେଟକୁ ଯାଉଛି ପାଖାପାଖି 34 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକେଟକୁ ଯାଉଛି 22 ଟଙ୍କା । ପେଟ୍ରୋଲ ପମ୍ପ ମାଲିକ ଲିଟର ପିଚ୍ଛା 3 ଟଙ୍କା ଲେଖାଏଁ ନେଇଛନ୍ତି । ଏମିତି ହିସାବ କଲେ ଗୋଟିଏ ଲିଟର ପେଟ୍ରୋଲର ଅସଲ ମୂଲ୍ୟ ହେଉଛି 35 ରୁ 36 ଟଙ୍କା ଭିତରେ । ଟିକସ ବାବଦରେ 60 ଟଙ୍କା ଦେଉଛୁ । କାହିଁକି ଆମେ ଏତେ ଟଙ୍କା ଟିକସ ଦେବା ? ଏହା ଏକ ଜନକଲ୍ୟାଣକାରୀ ସରକାରର ଲକ୍ଷଣ କି ?
ଏବେ ନଜର ପକାନ୍ତୁ ସରକାରଙ୍କ ଯ଼ୁକ୍ତି ଉପରେ । ପେଟ୍ରୋଲ, ଡିଜେଲ ଓ ପ୍ରାକୃତିକ ଗ୍ୟାସ ଉପରୁ ଆଦାୟ ହେଉଥିବା ଟିକସ ଟଙ୍କାରେ ସରକାର ଜନକଲ୍ୟାଣ କାର୍ଯ୍ୟ କରୁଛନ୍ତି । କି ଜନକଲ୍ୟାଣ ? ସରକାରଙ୍କ ଏ ଆଭିମୁଖ୍ୟ ହେଉଛି ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟ ।
ଟିକସ ବସାଇବା ଆଗରୁ ସରକାର ଏକଥା ଚିନ୍ତା କରିବା ଦରକାର, ପେଟ୍ରୋଲ, ଡିଜେଲ କିଏ ବ୍ୟବହାର କରୁଛି ? ଏହା କଣ କେବଳ ଧନୀଲୋକଙ୍କ ଦ୍ବାରା ବ୍ୟବହାର ହେଉଛି କି ସରକାର ମନଇଚ୍ଛା ଟିକସ ବସାଇଦେବେ । ପାନଦୋକାନୀ, ଫୁଟପାଥରେ ପରିବା ବିକୁଥିବା ବ୍ୟବସାୟୀ, ଖବରକାଗଜ ପକାଉଥିବା ହକର, ରାଜମିସ୍ତ୍ରି, ଫିଟର, ଇଲେକ୍ଟ୍ରିସିଆନ ଭଳି ବୃତ୍ତିରେ ନିୟୋଜିତ ଲୋକେ, ଛୋଟମୋଟ ବ୍ୟବସାୟ କରି ପରିବାର ପୋଷୁଥିବା ଦେଶର କୋଟି କୋଟି ଲୋକ ଏବଂ ସର୍ବୋପରି ଦେଶର କୋଟି କୋଟି ଚାଷୀ, ସେମାନଙ୍କ ବାଇକରେ କଣ ପାଣି ପକାଇ ବୁଲିବେ । ସରକାର କେବେ ଚିନ୍ତା କରିଛନ୍ତି ଏଭଳି ଲୋକଙ୍କ ସଂଖ୍ୟା କେତେ ? କଣ ପାଇଁ ଜଣେ ପାନଦୋକାନୀ ଗୋଟିଏ ଲିଟର ପେଟ୍ରୋଲ ପକାଇ ସରକାରଙ୍କୁ 60 ଟଙ୍କା ଟିକସ ଦେବ ? କଣ ପାଇଁ ଜଣେ ପରିବା ବେପାରୀ ସରକାରଙ୍କୁ ଟିକସ ଦେବ ? ଏହାର ପରିଣାମ କଣ ହେଉଛି, ଖୁଚୁରା ବଜାରରେ ଦରବୃଦ୍ଧି । ଅନ୍ୟପଟେ ସରକାର କଣ କରୁଛନ୍ତି, ଏଭଳି ବର୍ଗର ଲୋକଙ୍କୁ ବିଭିନ୍ନ ଯୋଜନାରେ ଚାଉଳ , ଗହମ ଦେଇ ବାହା-ବା ନେଉଛନ୍ତି । ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଟଙ୍କା ଦେଇ ବାହା-ବା ନେଉଛନ୍ତି । ଆସନ୍ତୁ ହିସାବ କରିବା, ଯଦି ଏଭଳି ସାଧାରଣ ବର୍ଗର ଜଣେ ଲୋକ ଦୁଇଦିନରେ ଗୋଟିଏ ଲିଟର ପେଟ୍ରୋଲ ବି ଖର୍ଚ୍ଚ କରେ, ଅର୍ଥାତ ପ୍ରତିମାସରେ ସେ ସରକାରଙ୍କୁ 900 ଟଙ୍କା ଟିକସ ଦେଉଛି । ବର୍ଷକୁ ପାଖାପାଖି ଏଗାର ହଜାର ଟଙ୍କା କେବଳ ପେଟ୍ରୋଲ ଟିକସ ଦେଉଛି । ଆଉ ଆମ ସରକାର ଛ ମାସରେ କେବଳ ଚାଷୀ ଖାତାକୁ 6 ହଜାର ଟଙ୍କା ଦେଇ କୋଉ ପୁଣ୍ୟ କାମ କରୁଛନ୍ତି ।
ଆପଣ ଜାଣିଛନ୍ତି, 2014 ରେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରୁ 74 ହଜାର କୋଟି ଟଙ୍କା ଟିକସ ଆକାରରେ ନେଇଥିଲେ । କିନ୍ତୁ 2020-21ରେ ପ୍ରଥମ ଦଶମାସରେ 2.94 ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ତେଣୁ ଏବେ ଚିନ୍ତା କରିବା ଦରକାର, ଗରିବ ଲୋକ ପେଟ୍ରୋଲ ପକାଇବା ବେଳେ ଟିକସ କାହିଁକି ଦେବେ ?
(ଅପୂର୍ବ ମହାନ୍ତି, ଏଡିଟର, ତକ୍ଷକ ନ୍ୟୁଜ୍)

LEAVE A REPLY

Please enter your comment!
Please enter your name here