ଓଡିଆ ସିନେ ଜଗତର ସୁନାମଧନ୍ୟ ଅଭିନେତା ବିଜୟ ମହାନ୍ତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି I ସୋମବାର ରାତିରେ ଓଡିଶାର ଏହି ଲୋକପ୍ରିୟ କଳାକାରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି I ଗତ ଦୁଇମାସ ଧରି ସେ ଅସୁସ୍ଥ ଥିଲେ ଏବଂ ଅସୁସ୍ଥ ଅବସ୍ଥାରେ ହିଁ ସେ ତାଙ୍କର ପ୍ରିୟ ଜନ୍ମଭୂମିକୁ ଫେରି ଆସିଥିଲେ I ମାତ୍ର ଶେଷରେ ଦୁଇମାସର ଜୀବନ ସଂଗ୍ରାମରେ ସେ ହାରି ଯାଇଥିଲେ I ସତୁରୀ ବର୍ଷ ବୟସରେ ବିଜୟ ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି I ଆଜି ତାଙ୍କ ମର ଶରୀରକୁ ବମିଖାଲସ୍ଥିତ ବାସଭବନକୁ ନିଆଯାଇଥିଲା I ସେଠାରେ ପରିବାରବର୍ଗ, ବନ୍ଧୁ ପରିଜନ ତାଙ୍କୁ ଅଶ୍ରୁଳ ବିଦାୟ ଦେବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରକୁ ନିଆଯାଇଥିଲା I ସେଠାରେ ତାଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ କରାଯିବା ପରେ ଶହ ଶହ ଶୁଭେଚ୍ଛୁ, କଳାକାର, ରାଜନେତା ତାଙ୍କ ପ୍ରିୟ ଅଭିନେତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ I କରୋନା ଲକଡାଉନ କଟକଣା ଭିତରେ ମଧ୍ୟ ବହୁ ସିନେପ୍ରେମୀ ବିଜୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ତାଙ୍କ ମରଶରୀରକୁ ଅନ୍ତିମସଂସ୍କାର ପାଇଁ ନିଆଯାଇଥିଲା I ଓଡିଆ ସିନେଜଗତର ଏହି ଲୋକପ୍ରିୟ ଅଭିନେତା 1950 ମସିହାରେ ଜନ୍ମ ହୋଇଥିଲେ I ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପାଠପଢା ସାରିବା ପରେ ଥିଏଟରରୁ ଆରମ୍ଭ ହୋଇଥିଲା ବିଜୟଙ୍କ କଳାକାର ଜୀବନ I 1977ରେ ଚିଲିକା ତୀରେ ଥିଲା ତାଙ୍କର ପ୍ରଥମ ଅଭିନୀତ ସିନେମା I ତା ପରେ ସେ ବହୁ ଲୋକପ୍ରିୟ ସିନେମା ସମୟ ବଡ ବଳବାନ, ଦଣ୍ଡା ବାଳୁଙ୍ଗା, ଡୋରା, ଜଗା ହାତରେ ପଘା, ମାଣିକ, ମମତାର ଡୋରୀ ଭଳି ଅନେକ ସିନେମାରେ ଅଭିନୟ କରିଥିଲେ I ଅଭିନେତ୍ରୀ ତନ୍ଦ୍ରା ରାୟଙ୍କୁ ବିବାହ କରିବା ପରେ ତାଙ୍କର କଳାକାର ଜୀବନ ଆହୁରି ସମୃଦ୍ଧ ହୋଇଥିଲା I ତା ପରଠୁ ସେ ଚାରି ଦଶନ୍ଧି ଧରି ଓଡିଆ ସିନେପ୍ରେମୀଙ୍କ ହୃଦୟରେ ବସା ବାନ୍ଧିଥିଲେ I ତାଙ୍କର ନିଖୁଣ ଅଭିନୟ ପାଇଁ ରାଜ୍ୟର ସର୍ବୋଚ୍ଚ ସିନେ ସମ୍ମାନ ଜୟଦେବ ପୁରସ୍କାର ଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ସମ୍ମାନ ପ୍ରଦାନ କରାଯାଇଥିଲା I କେବଳ ସିନେମା ନୁହେଁ, ମଞ୍ଚ ଅଭିନୟରେ ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବାରେ ସେ ଥିଲେ ଗୁରୁ I ବହୁ ଛାତ୍ରଛାତ୍ରୀଙ୍କୁ ସେ ଅଭିନୟର ମନ୍ତ୍ର ଦେଇଥିଲେ I 2014 ସାଧାରଣ ନିର୍ବାଚନରେ କଂଗ୍ରେସରୁ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିଲେ I ପରବର୍ତ୍ତୀ ଅବସ୍ଥାରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ I ବିଜୟଙ୍କୁ ହରାଇ ଓଡିଆ ସିନେଜଗତରେ ଅପୂରଣୀୟ କ୍ଷତି ହୋଇଛି I

LEAVE A REPLY

Please enter your comment!
Please enter your name here