୪ ଦିନ ପ୍ରଶ୍ନକାଳ ବାତିଲ ହେବା ପରେ ପଞ୍ଚମ ଦିନରେ ସ୍ୱାଭାବିକ ହୋଇଛି ଚଳିତ ଶୀତ ଅଧିବେଶନ. ଶନିବାର ହୋଇଥିବା ପ୍ରଶ୍ନକାଳରେ କାଳରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି. ରାଜ୍ୟରେ ମୋଟ ୩୫୭ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା. ଏହାସହ ସେ କେନ୍ଦ୍ରକୁ ମଧ୍ୟ ଟାର୍ଗେଟ କରିଥିଲେ. ତେବେ ଲଗାତର ୪ ଦିନ ପ୍ରଶ୍ନକାଳ ବାତିଲ ହେବା ପରେ ପଞ୍ଚମ ଦିନରେ ସ୍ୱାଭାବିକ ହୋଇଛି ଗୃହ. ଅନ୍ୟପଟେ କଂଗ୍ରେସ ବିଧାୟକ ନବକିଶୋର ଦାସ ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ନେଇ ପର୍ଯ୍ୟଟନ ବିଭାଗକୁ ପ୍ରଶ୍ନ କରିଛନ୍ତି. ଉତ୍ତରରେ ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ୩୫୭ଟି ପର୍ଯ୍ୟଟନସ୍ଥଳୀ ଚିହ୍ନଟ ହୋଇଛି. ଏହି ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ହୋଟେଲ୍ ଶିଳ୍ପର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି. ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ସରକାର ୩୬ଟି ହୋଟେଲ୍ ଶିଳ୍ପର ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି. ସେଥିମଧ୍ୟରୁ ଭୁବନେଶ୍ୱରରେ ୫ ଟି ସ୍ଥାନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଇ-ଅକ୍ସନ୍ ମାଧ୍ୟମରେ ଜମି ଯୋଗାଇ ଦେଇଛି. ଠିକ୍ ସେହିପରି ଅନ୍ୟ ୭୭ ଟି ଜାଗାରେ ଇଡକୋ ଜମି ଯୋଗାଇ ଦେଇଛି. ଏହାଛଡା କେନ୍ଦ୍ରାପଡ଼ାର ବଳଦେବଜୀଉ ଓ ଭଦ୍ରକ କାଳୀମନ୍ଦିରର ବିକାଶ କଥା ମଧ୍ୟ ଗୃହରେ ଉଠିଛି. ତେବେ ଢେଙ୍କାନାଳ ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ପାଇଁ ଗଛ କଟାକୁ ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି ଯାହାକୁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗ୍ରହଣ କରିଛନ୍ତି.