କରୋନା ଭୟ ଭିତରେ ଦାଦନଙ୍କ ସଂଘର୍ଷର ଯାତ୍ରା । ପାଦରେ ଚାଲି ଚାଲି ଘରକୁ ବାହୁଡୁଛନ୍ତି ହଜାର ହଜାର ପ୍ରବାସୀ ।
ଇଏ ହେଉଛି ରାୟଗଡା ସହରର ଦୃଶ୍ୟ । ଯୁଆଡେ ଦେଖିବେ ମାଳମାଳ ଫେରନ୍ତା ପ୍ରବାସୀ । ରାୟଗଡା ସହରର ଜିସିଡି ପଡିଆ, ପୁରୁଣା ବସଷ୍ଟାଣ୍ଡ ଓ କପିଳାସ ଛକ ଅଞ୍ଚଳରେ ମାଳ ମାଳ ବାହାର ରାଜ୍ୟର ଦାଦନ । ଦେଢମାସ ଲକ ଡାଉନ ଭିତରେ ରହିବା ପରେ ଏବେ ନିଜ ଘରକୁ ଫେରିବା ପାଇଁ ବାଟ ଖୋଜୁଛନ୍ତି । ରାୟଗଡାର ବିଭିନ୍ନ କଳକାରଖାନାରେ କାମ କରୁଥିବା ବାହାର ରାଜ୍ୟର ଶ୍ରମିକ ହୁଅନ୍ତୁ ଅବା ଦାଦନ, ନିଜ ଭିଟାମାଟିକୁ ଫେରିବା ପାଇଁ ଏବେ ସେମାନେ ବ୍ୟାକୁଳ । ବିହାର, ଝାଡଖଣ୍ଡ ଓ ରାଜସ୍ଥାନର ଏହି ଶ୍ରମିକଙ୍କ ଅଭିଯୋଗ ହେଉଛି, ସ୍ଥାନୀୟ ପ୍ରଶାସନ ସେମାନଙ୍କ କଥା ଶୁଣୁନାହିଁ । ତେଣୁ ରାସ୍ତାରେ ଚାଲି ଚାଲି ଫେରିବା ଆରମ୍ଭ କରିଛନ୍ତି ସେମାନେ । ପାଦକୁ ଟିକେ କଷ୍ଟ ଅନୁଭବ ହେଲେ ରାସ୍ତାକଡ ଗଛ ମୂଳେ ଥକା ମେଣ୍ଟାଉଛନ୍ତି । ଆନ୍ଧ୍ର ଓଡିଶା ସୀମାନ୍ତରେ ପୋଲିସର କଡା ପହରା । ଲୋକମାନଙ୍କୁ ତନତନ କରି ଯାଞ୍ଚ କରୁଛନ୍ତି ସିଆରପିଏଫ ଓ ଜିଲ୍ଲା ପୋଲିସ । ତଥାପି ସୀମାନ୍ତ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି ଆନ୍ଧ୍ରରୁ ଫେରୁଥିବା ବାହାର ରାଜ୍ୟ ଝାରଖଣ୍ଡ, ବିହାର, ଓ ରାଜସ୍ଥାନର ଦାଦନ ଶ୍ରମିକ । ସୀମାନ୍ତରେ କିଛି ଲୋକଙ୍କ ନାମ ପଞ୍ଜିକରଣ ହେଉଥିବାବେଳେ କିଛି ଦାଦଦ ଗଳାବାଟ ଦେଇ ଯିବାକୁ ଚେଷ୍ଟା କରୁଛନ୍ତି । ସେପଟେ ସହର ଭିତରେ ଏଣେତେଣେ ଦାଦନମାନେ ବୁଲୁଥିବାରୁ କରୋନା ସଂକ୍ରମଣର ଡର ସହରବାସୀଙ୍କୁ ଆଚ୍ଛନ୍ନ କରିଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଓଡିଶା ଆନ୍ଧ୍ର ସୀମାନ୍ତକୁ ଯାଇ ଯାଞ୍ଚ କରିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ୍ ଅହମ୍ମଦ ।

LEAVE A REPLY

Please enter your comment!
Please enter your name here