ନୂଆଦିଲ୍ଲୀ(ଏଜେନ୍ସି): ଆସାମ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆରସି) ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ଚୂଡ଼ାନ୍ତ ଡ୍ରାଫ୍ଟ ଅନୁଯାୟୀ ରାଜ୍ୟରେ ୪ଠଲକ୍ଷ ନାଗରିକଙ୍କୁ ଅବୈଧ ଦର୍ଶାଯିବାର କିଛି ସମୟ ମଧ୍ୟରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏହାକୁ ପ୍ରସଙ୍ଗ କରି ସୋମବାର ସଂସଦର ଉଭୟ ଗୃହରେ ବିରୋଧୀ ଦଳ ତୁମୁଳକାଣ୍ଡ ଘଟାଇଛନ୍ତି । ତେବେ ଏହି ପ୍ରସଙ୍ଗରେ ରାଜ୍ୟସଭା ଅଧିବେଶନ ବାରମ୍ବାର ପ୍ରଭାବିତ ହେବା ଫଳରେ ଉପରାଷ୍ଟ୍ରପତି ବାଧ୍ୟ ହୋଇ ରାଜ୍ୟସଭା ଅଧିବେଶନକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ ।

ଏନ୍ଆର୍ସି ରିପୋର୍ଟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରି ତୃଣମୂଳ କଂଗ୍ରେସ ଓ ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ଶୂନ୍ୟକାଳରେ ତୃଣମୂଳ କଂଗ୍ରେସର ସାଂସଦ ସୌଗତ ରାୟ ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ଦେବାକୁ ଦାବି କରିଥିଲେ । ତାଙ୍କୁ ସମର୍ଥନ କରି ତାଙ୍କ ଦଳର ସାଂସଦ ଏବଂ ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗରେ ଏକତ୍ରିତ ହୋଇ ହୋହାଲ୍ଲା କରିବାରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ପ୍ରଥମେ ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏ ସଂକ୍ରାନ୍ତରେ ଉତ୍ତର ଦେବେ ବୋଲି ନାଇଡୁ କହିବା ସତ୍ତ୍ୱେ ମଧ୍ୟ ତୃଣମୂଳ କଂଗ୍ରେସର ସଂସଦମାନେ ପ୍ରଧାନମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଜିଦ୍ ଧରିଥିଲେ ଓ ହୋହଲ୍ଲା କରିଥିଲେ । ଦିନ ୧୨ଟା ପରେ ସଭାକାର୍ଯ୍ୟ ପୁଣି ଆରମ୍ଭ ହେବାମାତ୍ରେ ଗୃହରେ ପୂର୍ବଭଳି ପରିସ୍ଥିତି ଜାରି ରହିବାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା । ସେହିପରି ଅପରାହ୍ଣ ୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୃଣମୂଳ କଂଗ୍ରେସ ସାଂସଦ ଡେରିକ ଓବ୍ରିଅନ୍ ଏନ୍ଆରସି ପ୍ରସଙ୍ଗ ଉଠାଇଥିଲେ । ତାଙ୍କୁ ସମର୍ଥନ କରି ଦଳର ଅନ୍ୟ ସଦସ୍ୟମାନେ ହୋହଲ୍ଲା କରିବାରୁ ରାଜ୍ୟସଭାକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା । ଏପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାରେ ଡିସେମ୍ବର ୩୧କୁ ଡେଡ୍ଲାଇନ୍ ଭାବେ ସ୍ଥିର କରାଯାଇଛି । ଏହି ସମୟ ସୁଦ୍ଧା ଚୂଡାନ୍ତ ପ୍ରକ୍ରିୟା ଶେଷ କରିବାକୁ ଏନ୍ଆର୍ସିକୁ କେନ୍ଦ୍ର ସରକାର ନିଦେ୍ର୍ଦଶ ଦେଇଛନ୍ତି ।

ଅନ୍ୟପକ୍ଷେ ଏହି ମାମଲାରେ ଏନ୍ଆରସି ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ୨୫ ମାର୍ଚ୍ଚ ୧୯୭୧ପୂର୍ବରୁ ଆସାମରେ ସ୍ଥାୟୀ ଭାବେ ବସବାସ କରିଆସୁଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ମାତ୍ର ଯେଉଁ ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ନାହିଁ ସେମାନେ ୨୮ ସେପ୍ଟେମ୍ବର ସୁଦ୍ଧା ପ୍ରମାଣପତ୍ର ସହ ପୁନଃଆବେଦନ କରିପାରିବେ । ସୁତରାଂ ଏହି ତାଲିକା ଚୂଡାନ୍ତ ହୋଇଥିଲେ ମଧ୍ୟ ନାଗରିକ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇନାହିଁ ବୋଲି ଏନ୍ଆରସି ନିଜ ରିପୋର୍ଟରେ କହିଛି । ତେବେ ଏନ୍ଆରସିର ଏହି ସ୍ପଷ୍ଟୀକରଣକୁ ବିରୋଧୀ ଦଳ ପ୍ରତ୍ୟାଖାନ କରି ସଂସଦରେ ହୋହଲ୍ଲା ଆରମ୍ଭ କରିଦେଇଛନ୍ତି । ତାଲିକାରୁ ବାଦ୍ ପଡିଥିବା ପରିବାର, ବ୍ୟକ୍ତି ବାଂଲାଦେଶୀ ନା’ ଭାରତୀୟ’ ସେସମ୍ପର୍କରେ ପ୍ରଧାନମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ଦାବି କରୁଛନ୍ତି । ଅନ୍ୟପକ୍ଷେ ଅନୁପ୍ରବେଶକାରୀଙ୍କୁ ଆସାମ ନାଗରିକ ମାନ୍ୟତା ଦେଇ ନିର୍ଦ୍ଦଷ୍ଟ ରାଜନୈତିକ ଦଳ ନିଜ ଭୋଟ୍ ବ୍ୟାଙ୍କକୁ ଶକ୍ତିଶାଳୀ କରୁଥିବା ଅଭିଯୋଗ ମଧ୍ୟ ଆରମ୍ଭ ହୋଇଯାଇଛି । ସଂସଦର ଉଭୟ ଗୃହରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହା ଉପରେ ସ୍ଥଗିତ ପ୍ରସ୍ତାବ ଦାବି କରାଯାଇଛି । ସେହିପରି କଂଗ୍ରେସ ପକ୍ଷରୁ ଏନ୍ଆରସିର କାର୍ଯ୍ୟକାରିତାକୁ ନେଇ ସନେ୍ଦହ ପ୍ରକାଶ କରାଯାଇଛି । ଆର୍ଜେଡି ପରି ଅଧିକାଂଶ ବିଜେପି ବିରୋଧୀ ଆଞ୍ଚଳିକ ରାଜନୈତିକ ଦଳଗୁଡିକ ମଧ୍ୟ ଏନ୍ଆରସିର ଆକଳନ ରାଜନୈତିକ ଉଦେ୍ଦଶ୍ୟ ରଖାଯାଇ ପ୍ରସ୍ତୁତ କରାଯାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଆସାମ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜ୍ୟ ପୁଲିସ ସମେତ ସିଆରପିଏଫ୍ର ୨୨ଠ ପ୍ଲାଟୁନ୍ ଫୋର୍ସଙ୍କୁ ୭ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here