() ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ବିବାଦୀୟ ହୋଇଛନ୍ତି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ । ବେଶି ବିବାଦ ହେଲା ସେତେବେଳେ, ଯେତେବେଳେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅମର ଜାଭେଦ ବାଜୱାଙ୍କୁ ଆଲିଙ୍ଗନ କଲେ । ଭାରତରେ ରାଜନୀତି ତେଜିଥିବା ବେଳେ କଂଗ୍ରେସକୁ କାଠଗଡ଼ାକୁ ଟାଣିଥିଲା ବିଜେପି । ଲାହୋରରୁ ଫେରିବା ପରେ ସ୍ପଷ୍ଟୀକରଣ ଦେଇଛନ୍ତି ସିଦ୍ଧୁ । ପ୍ରଶ୍ନ କରିଛନ୍ତି ଇମ୍ରାନଙ୍କ ନିମନ୍ତ୍ରଣ ରଖି ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ଏଥିରେ ଭୁଲ ରହିଲା କେଉଁଠି ? ସେହିପରି ପାକ୍ ସେନା ମୁଖ୍ୟଙ୍କୁ ଆଲିଙ୍ଗନ କରିବା ଉପରେ ବି ମତ ରଖିଛନ୍ତି ସିଦ୍ଧୁ । ସେ କହିଛନ୍ତି, ବାଜୱା ସାକ୍ଷାତ ବେଳେ କହିଥିଲେ ଆମେ ଶାନ୍ତି ଚାହୁଁ । ଏକଥା ଶୁଣି ବେଶ ଭାବପ୍ରବଣ ହୋଇଯାଇଥିଲି ଓ ବାଜୱାଙ୍କୁ କୁଣ୍ଢାଇ ପକାଇଥିଲି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସିଦ୍ଧୁ । ଉଦାହରଣ ଦେଇ ବିରୋଧୀଙ୍କୁ ମୁହଁତୋଡ ଜବାବ ବି ଦେଇଛନ୍ତି ସିଦ୍ଧୁ । ସେ କହିଛନ୍ତି, ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ଚାହୁଁଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଏଥିପାଇଁ ଲାହୋରକୁ ଶାନ୍ତିର ବାର୍ତ୍ତା ନେଇ ବସ୍ ଯାତ୍ରା କରିଥିଲେ । ସେହିପରି ୨୦୧୫ ରେ ଆଫଗାନିସ୍ତାନରୁ ଯାଇ ଅଚାନକ ଲାହୋରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାକିସ୍ତାନର ପୂର୍ବତନ ନୱାଜ ସରିଫଙ୍କୁ ତାଙ୍କ ଘରେ ଭେଟିଥିଲେ ମୋଦି । ସେଦିନ କୌଣସି ଗସ୍ତ କାର୍ଯ୍ୟକ୍ରମ ବି ନଥିଲା । ସେହିପରି ମୋଦି ନିଜ ଶପଥ ସମାରୋହକୁ ନୱାଜ ସରିଫଙ୍କୁ ଆମନ୍ତ୍ରଣ କରିଥିଲେ । ସେତେବେଳେ ସେମାନଙ୍କୁ କେହି ତ ପ୍ରଶ୍ନ କରି ନଥିଲେ କି ସମାଲୋଚନା । କିନ୍ତୁ ମୋ ପାକିସ୍ତାନ ଗସ୍ତକୁ ନେଇ ଏତେ ହଙ୍ଗାମା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧୁ । ଗତ ୧୮ ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଇମ୍ରାନ ଖାନ୍ । ତାଙ୍କର ଶପଥକୁ ଯାଇ ଚାରିଆଡକୁ ଷଣ୍ଢୁଆଷୀ ଆକ୍ରମଣର ଶିକାର ହୋଇଥିଲେ ପଞ୍ଜାବ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ । ଏବେ ସିଦ୍ଧୁଙ୍କ ସଫେଇ ତାଙ୍କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଦେଇଛି ମୁହଁତୋଡ ଜବାବ.

LEAVE A REPLY

Please enter your comment!
Please enter your name here