ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ବରିଷ୍ଠ ବୈଜ୍ଞାନିକଙ୍କୁ ୨୦୨୩ ନିମନ୍ତେ ସେମାନଙ୍କ ନିଜ ଗବେଷଣା କ୍ଷେତ୍ରରେ ଭାରତର ସର୍ବୋଚ୍ଚ ୧୦ ଜଣ ଗବେଷକଙ୍କ ମଧ୍ୟରେ ସ୍ଥାନ ମିଳିଛି ।
ପ୍ରଫେସର ପ୍ରଦୀପ୍ତ କିଶୋର ଦାଶ ଓ ପ୍ରଫେସର କୁଳମଣି ପରିଡାଙ୍କୁ ପ୍ରତିଷ୍ଠିତ ଗବେଷଣା ପୋର୍ଟାଲ ରିସର୍ଚ୍ଚ ଡଟ୍ କମ୍ ଦ୍ୱାରା ଏହି ସମ୍ମାନ ଦିଆଯାଇଛି । ପ୍ରଫେସର ଦାଶ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଗବେଷଣା କ୍ଷେତ୍ରରେ ଦେଶରେ ଷଷ୍ଠ ସ୍ଥାନରେ ଥିବା ବେଳେ ପ୍ରଫେସର ପରିଡ଼ା ରସାୟନ ବିଜ୍ଞାନ ଗବେଷଣାରେ ଦେଶରେ ସପ୍ତମ ସ୍ଥାନରେ ସ୍ଥାନୀତ ହୋଇଛନ୍ତି ।
ପ୍ରଫେସର ଦାଶ ବର୍ତମାନ ସୋଆରେ ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଫେସର ପରିଡ଼ା ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର୍ ନାନୋସାଇନ୍ସ ଆଣ୍ଡ ନାନୋଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।
ଏହି ତାଲିକାରେ ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗ ନିମନ୍ତେ ସୋଆ ବିଶ୍ୱବିଦ୍ୟାଳୟ ଜାତୀୟ ସ୍ତରରେ ଦଶମ ସ୍ଥାନରେ ଥିବା ବେଳେ ରସାୟନ ବିଜ୍ଞାନ କ୍ଷେତ୍ରରେ ୩୪ ତମ ସ୍ଥାନ ଲାଭ କରିଛି ।
ସୋଆର ପ୍ରଥମ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ଦାଶ ଏନ୍ଆଇଟି ରାଉରକେଲାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ମଧ୍ୟ ସିଙ୍ଗାପୁରର ନ୍ୟାସ୍ନାଲ୍ ୟୁନିଭର୍ସିଟି, ମାଲେସିଆର ମଲ୍ଟିମିଡିଆ ୟୁନିଭର୍ସିଟି, ୟୁଏସ୍ଏ ର ୟୁନିଭର୍ସିଟି ଅଫ୍ ୱାଶିଂଟନ୍ ଏବଂ କାନାଡାର ୟୁନିଭର୍ସିଟି ଅଫ୍ ମାନିଟୋବା ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ବ୍ରୁନ୍ସ୍ୱିକ୍ରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ।
ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ତାଙ୍କୁ ବିଜୁ ପଟ୍ଟନାୟକ ସମ୍ମାନ ଏବଂ ଗବେଷଣା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ସାମନ୍ତ ଚନ୍ଦ୍ରଶେଖର ସମ୍ମାନରେ ସମ୍ମାନିତ କରାଯାଇଛି ।
ମାଟେରିଆଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ନିମନ୍ତେ ବେଶ ପରିଚିତ ଥିବା ପ୍ରଫେସର ପରିଡ଼ା ୧୬ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ବିଜ୍ଞାନ ଭିତିକ ସମ୍ମାନ ଗ୍ରହଣ କରିଥିବା ବେଳେ ୫୦୧ଟି ଗବେଷଣା ସମ୍ପର୍କିତ ନିବନ୍ଧ ଲେଖିଛନ୍ତି । ତାଙ୍କ ନିକଟରେ ୩୫ଟି ଜାତୀୟ ବୈଜ୍ଞାନିକ ପାଟେଂଟ ମଧ୍ୟ ରହିଛି । ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମାଟେରିଆଲ୍ସ ଟେକ୍ନୋଲୋଜିରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରଫେସର ପରିଡ଼ା ସେହି ଅନୁଷ୍ଠାନର ବିଭିନ୍ନ ବିଭାଗରେ ମାଟେରିଆଲ୍ସ କେମିଷ୍ଟ୍ରି ବୈଜ୍ଞାନିକ ଭାବେ କାର୍ଯ୍ୟ ତୁଲାଇଛନ୍ତି ।
ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଉଭୟ ପ୍ରଫେସର ଦାଶ ଏବଂ ପ୍ରଫେସର ପରିଡ଼ାଙ୍କୁ ମଧ୍ୟ ସ୍ଥାନୀତ କରାଯାଇଛି ।