ନୂଆଦିଲ୍ଲୀ(ଏଜେନ୍ସି): ଭାରତ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଗତ ୫ବର୍ଷ ମଧ୍ୟରେ ପ୍ରାୟ ୩ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିଛି । ଏମିତି ଏକ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ଏଚ୍ଓ) ପକ୍ଷରୁ ପ୍ରକାଶ କରାଯାଇଛି । ଏଥିରେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ବେଶ୍ ପ୍ରଶଂସା କରାଯିବା ସହ ଏହି ଯୋଜନାର ସୁଫଳ ଭାରତବାସୀ ପାଇଥିବା ଉଲ୍ଲେଖ କରାଯାଇଛି ।

ରିପୋର୍ଟରେ ଦିଆଯାଇଥିବା ସୂଚନାନୁସାରେ ସ୍ୱଚ୍ଛ ଭାରତ ଅଭିଯାନ ପୂର୍ବରୁ ଭାରତରେ ପ୍ରତ୍ୟେକ ବର୍ଷ ଝାଡ଼ାବାନ୍ତି ଓ ପୁଷ୍ଟିହୀନତାଜନିତ ରୋଗ ଦ୍ୱାରା ଯେତିକି ଲୋକ ମୃତ୍ୟୁ ମୁଖରେ ପଡୁଥିଲେ, ସ୍ୱଚ୍ଛ ଭାରତ ଅଭିଯାନ ଫଳରେ ଏହି ସଂଖ୍ୟାରେ ଆଶାନୁତୀତ ଭାବେ ହ୍ରାସ ହୋଇଛି । ଯଦି ପ୍ରତ୍ୟେକ ବର୍ଷ ଅନୁସାରେ ହିସାବ କରାଯିବ ତେବେ ଭାରତରେ ପ୍ରାୟ ୧.୮ଲକ୍ଷ ଲୋକ ଏବେ ମୃତ୍ୟୁଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ଏସବୁ କେବଳ ସ୍ୱଚ୍ଛ ଭାରତ ଅଭିଯାନଜନିତ ସଚେତନତା କାରଣରୁ ହୋଇପାରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଦର୍ଶାଇଛି । ବିଶେଷକରି ଗ୍ରାମାଞ୍ଚଳ ପରିବେଶ ସ୍ୱଚ୍ଛ ରହିବା ଦ୍ୱାରା ଜୀବାଣୁ ସଂକ୍ରମଣ ହ୍ରାସ ପାଇଥିବା, ପାନୀୟ ଜଳର ଗୁଣାତ୍ମକ ମାନ ବୃଦ୍ଧି ପାଇବା ଆଦି ସମ୍ଭବ ହୋଇପାରିଛି । ଭାରତ ସରକାରଙ୍କ ଏହି ଜନହିତକର ଯୋଜନା ଦ୍ୱାରା ଅଗଷ୍ଟ ୨ତାରିଖ ସୁଦ୍ଧା ଦେଶର ପରିଚ୍ଛନ୍ନତା ହାର ୮୯.ଠ୭%କୁ ବୃଦ୍ଧିପାଇଛି । ସୂଚନାଥାଉ କି, ଦେଶର ୧୯ଟି ରାଜ୍ୟ ଓ କେତେକ କେନ୍ଦ୍ରଶାସିତ ଅଞ୍ଚଳର ୪୨୧ଟି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଘୋଷଣା କରାଯାଇସାରିଛି । ଏହି ଅଞ୍ଚଳରେ ଖୋଲାରେ ଶୌଚ ହେବା ପ୍ରକ୍ରିୟା ସବୁସ୍ତରରେ ବନ୍ଦ ହୋଇଛି । ଏହି ପ୍ରକ୍ରିୟାରେ ଆଉ ୪.୯ଲକ୍ଷ ଗ୍ରାମ ସ୍ୱଚ୍ଛ ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି । ସେହିପରି ଏବେ ସ୍ୱଚ୍ଛତା ଅଭିଯାନ ଦେଶବାସୀଙ୍କ ଉପରେ ବେଶ୍ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ଭାରତ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଘରକୁ ଶୌଚାଳୟ ପାଇଁ ଅର୍ଥ ପ୍ରଦାନ କରାଯିବା ସହ ଅଦ୍ୟାବଧି ୭.୯କୋଟି ପାଇଖାନା ଗ୍ରାମାଞ୍ଚଳରେ ନିର୍ମିତ କରାଯାଇଛି । ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଅସ୍ୱାସ୍ଥ୍ୟକର ପରିବେଶଜନିତ ସଂକ୍ରମଣ କାରଣରୁ ଝାଡ଼ାବାନ୍ତିରେ ବାର୍ଷିକ ୧୯୯ ନିୟୁତ ଲୋକଙ୍କ ମୃତୁ୍ୟ ଘଟୁଥିବା ବେଳେ ଏବେ ଏହା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୨ଠ୧୯ ପୂର୍ବରୁ ଏହି ଅଭିଯାନ ଶେଷ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଅଧିକ ଜୀବନ ରକ୍ଷାର ଆଶା କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି ରିପୋର୍ଟ ଉନ୍ମୋଚନ ପୂର୍ବକ ଉପରୋକ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here