ଫେଲ୍ ମାରିଲା ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା । ସଂସଦ ଭବନ ଭିତରେ ପ୍ରବେଶ କରି ଦୁଇ ଯୁବକ ହଙ୍ଗାମା କଲେ । ଲୋକସଭା ସଦନରେ କାର୍ଯ୍ୟ ଚାଲିଥିବା ବେଳେ ଦିନ ଗୋଟାଏ ସମୟରେ ହଠାତ ଦର୍ଶକ ଗ୍ୟାଲେରୀରୁ ଜଣେ ଯୁବକ ଗୃହ ମଧ୍ୟକୁ ଡେଇଁ ହଙ୍ଗାମା ଆରମ୍ଭ କରିଦେଇଥିଲେ । ସାସଂଦମାନେ ଭାବୁଥିଲେ, ବୋଧହୁଏ ଜଣେ ଦର୍ଶକ ଗ୍ୟାଲେରୀରୁ କେହି ଦର୍ଶକ ଭିତରକୁ ଖସି ପଡିଛନ୍ତି । ମାତ୍ର ଭିତରକୁ ଡେଇଁଥିବା ଯୁବକ ଜଣକ ହଳଦିଆ ଗ୍ୟାସ ସ୍ପ୍ରେ କରି ସମସ୍ତଙ୍କୁ ଭୟଭୀତ କରିବା ଆରମ୍ଭ କରିଦେଇଥିଲେ । ସାଂସଦମାନେ ଭୟରେ ଗୃହ ବାହାରକୁ ଚାଲି ଆସିଥିଲେ । ତେବେ ସୁରକ୍ଷା ଅଧିକାରୀ ଓ କେତେକ ସାଂସଦ ଭିତରେ ପଶିଥିବା ଯୁବକଙ୍କୁ କାବୁ କରି ନେଇଥିଲେ । ଲୋକସଭା ଗୃହ ମଧ୍ୟକୁ ପଶିଥିବା ଯୁବକ ଜଣକ ହେଲେ ସାଗର ଶର୍ମା । ତାଙ୍କ ସାଙ୍ଗେ ଆସିଥିବା ଆଉଜଣେ ସହଯୋଗୀ ଗୃହ ମଧ୍ୟକୁ ଡେଇଁ ନ ଥିଲେ ହେଁ ଅଧାଛାତରେ ରହି ହଳଦିଆ ଗ୍ୟାସ ସ୍ପ୍ରେ କରିଥିଲେ । ଏହି ଯୁବକ ଜଣଙ୍କ ହେଲେ ମନୋରଞ୍ଜନ ଡି । ଉଭୟଙ୍କ ଘର ମହୀଶୂରରେ । ସୁରକ୍ଷା ଅଧିକାରୀ ଗୃହ ଭିତରୁ ଦୁଇ ଅନୁପ୍ରବେଶକାରୀ ଯୁବକଙ୍କୁ ଗିରଫ କରିଥିବା ବେଳେ ସଂସଦ ବାହାରେ ହଳଦିଆ ଗ୍ୟାସ ସ୍ପ୍ରେ କରି ପ୍ରତିବାଦ କରୁଥିବା ଆଉ ଦୁଇଜଣଙ୍କୁ ଗିରଫ କରିଛି । ସମ୍ବିଧାନ ବଞ୍ଚାଅ, ଏକଛତ୍ରବାଦୀ ଶାସନ ବନ୍ଦ କର ସ୍ଲୋଗାନ ଦେଇ ଏମାନେ ବିକ୍ଷୋଭ କରୁଥିଲେ । ସଂସଦ ମଧ୍ୟକୁ ପ୍ରବେଶ କରିଥିବା ଦୁଇ ଯୁବକଙ୍କୁ ମହୀଶୂର ବିଜେପି ସାଂସଦ ପ୍ରତାପ ସୀମାଙ୍କ ଅଫିସରୁ ପାସ୍ ଇସ୍ୟୁ ହୋଇଥିବା ଜଣାପଡିଛି ।

ଚାରିଥାକିଆ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଦୁଇ ଯୁବକ ସଂସଦ ଭିତରକୁ ଅନୁପ୍ରବେଶ କରିବା ଏବଂ ହଳଦିଆ ଗ୍ୟାସ୍ ସ୍ପ୍ରେ କରିବା ସାଂସଦଙ୍କ ଭିତରେ ଭୟ ସଞ୍ଚାର କରିଛି । ଯଦି ସ୍ପ୍ରେ ହୋଇଥିବା ଗ୍ୟାସ୍ ବିଷାକ୍ତ ହୋଇଥାନ୍ତା, ତେବେ ତାର ପରିଣାମ କେତେ ଭୟଙ୍କର ହୋଇଥାନ୍ତା । ଅନ୍ୟପକ୍ଷରେ ଅନୁପ୍ରବେଶକାରୀଙ୍କୁ ଗିରଫ କରିବା ପରେ ସଂସଦ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ବାଚସ୍ପତି ଓମ୍ ବିର୍ଲା ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ନ ମିଳିବା ଯାଏଁ କୌଣସି ଦର୍ଶକଙ୍କୁ ଭିତରକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ।

ଏହି ଘଟଣାକୁ ନେଇ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ତେବେ ସଂସଦ ଭିତରକୁ ଅୁପ୍ରବେଶ ଘଟଣାରେ ପୋଲିସ ଚାରିଜଣଙ୍କୁ ଗିରଫ କରିଥିବା ଏଥିରେ 6 ଜଣ ସଂପୃକ୍ତ ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଛନ୍ତି । ସଂସଦ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେମାନେ ଗୁରୁଗ୍ରାମରେ ଏକାଠି ହୋଇ ଯୋଜନା କରିଥିଲେ । ତା ପରେ ସେମାନେ ସଂସଦ ମଧ୍ୟକୁ ଆସିବା ପାଇଁ ପାସ୍ ଯୋଗାଡ କରିଥିଲେ ।

22 ବର୍ଷ ତଳେ ଆଜିର ଦିନରେ ପୁରୁଣା ସଂସଦ ଭବନ ଭିତରକୁ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ । ଆଜିର ଘଟଣାରେ କେହି ମୃତାହତ ହୋଇ ନ ଥିଲେ ହେଁ 22 ବର୍ଷ ତଳର ଭୟଙ୍କର ଘଟଣାକୁ ପୁଣି ସତେଜ କରିଦେଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜିର ଘଟଣାକୁ ନେଇ ତଦନ୍ତ ଆଦେଶ ଦେଇଛି । ସିଆରପିଏଫ ଡିଜି ଅନିଶ ଦୟାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଏହାର ତଦନ୍ତ କରିବା ସହ ତ୍ରୁଟି ସୁଧାରିବା ପାଇଁ ସୁପାରିଶ କରିବ ।

LEAVE A REPLY

Please enter your comment!
Please enter your name here