ଚିତ୍ରକଳା ପ୍ରତି ରୁଚି ଥିଲା ଗୁଡଲୀଙ୍କର. ପାଠପଢା ବେଳେ ଏମିତି ଚିତ୍ର ଆଙ୍କି ସାଙ୍ଗସାଥିଙ୍କଠୁ ସେ ବହୁତ ବାହାବା ପାଉଥିଲେ. ମାତ୍ର ଚିତ୍ରକଳା ପ୍ରତି ଏହି ଚୁଚିକୁ ସେ ଯେ ନିଜର ବୃତ୍ତିରେ ଉପଯୋଗ କରିବେ, କେବେ ଭାବି ନଥିଲେ. ଫ୍ୟାଶନ ଡିଜାଇନିଂ ଦୁନିଆରେ ପାଦ ଦେବା ପରେ ସେ ତାଙ୍କର ରୁଚି ଓ ବୃତ୍ତି ମଧ୍ୟରେ ସମନ୍ବୟ ଆଣିବାକୁ ପ୍ରୟାସ କରୁଛନ୍ତି. ଯୁବପୀଢିଙ୍କ ଋଚିକୁ ଆଖି ଆଗରେ ରଖି ଫ୍ୟାଶନ ଡିଜାଇନିଂରେ ସେ ଆରମ୍ଭ କରିଛନ୍ତି ନୂଆ ଏକ୍ସପରିମେଣ୍ଟ.

ଭୁବନେଶ୍ବର ସ୍ଥିତ ଜେ.ଡି. ଇନଷ୍ଟିଚ୍ୟୁଟରୁ ଫେସନ ଡିଜାଇନିଂରେ କୋର୍ସ ସାରିବା ପରେ ଗୁଡଲୀ ଆରମ୍ଭ କରିଛନ୍ତି ନିଜସ୍ବ ମ୍ରିଗିକା ଷ୍ଟୁଡିଓ. ବିଶେଷ କରି ଝିଅମାନଙ୍କର ଡ୍ରେସ୍ ଡିଜାଇନିଂକୁ ସେ ନୂଆ ଲୁକ୍ ଦେବାକୁ ଉଦ୍ୟମ କରୁଛନ୍ତି. ଡ୍ରେସରେ ପାରଂପରିକ ଚିତ୍ରକଳା, ପଟ୍ଟଚିତ୍ର ଓ ମଡର୍ଣ୍ଣ ଆର୍ଟ ଦେବାକୁ ସେ ବେଶୀ ପସନ୍ଦ କରୁଛନ୍ତି. ଆଉ ହଜି ହଜି ଯାଉଥିବା ପାରଂପରିକ ଚିତ୍ରକଳାରେ ଖୁବ୍ ଆକର୍ଷଣୀୟ ଲାଗୁଛି ଭଳିକି ଭଳି ପୋଷାକ. ଏଥିପାଇଁ ଯଦିଓ ତାଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁଛି, କିନ୍ତୁ ଗୁଡଲୀଙ୍କ ଏହି ଏକ୍ସପରିମେଣ୍ଟକୁ ଯୁବପୀଢି ଖୁସିରେ ଗ୍ରହଣ କରୁଛନ୍ତି.

ଫ୍ୟାଶନ ଡିଜାଇନିଂରେ ପ୍ରତିଦ୍ବନ୍ଦିତା ଖୁବ୍ ବଢିଗଲାଣି. ଘରେ ବସି ଅନଲାଇନ ବଜାର ଦେଖିବାର ସୁଯୋଗ ସମସ୍ତଙ୍କ ପାଇଁ ରହିଛି. ତେବେ କୌଣସି ବ୍ରାଣ୍ଡ କଂପାନୀ ସହ କ୍ୟାରିଅର ଆରମ୍ଭ କରି ଭଲ ରୋଜଗାର କରିବା ଅପେକ୍ଷା ନିଜେ ନିଜ ବ୍ରାଣ୍ଡ ତିଆରି କରିବାର ରାସ୍ତା ବାଛି ନେଇଛନ୍ତି ଗୁଡଲୀ. ଆଉ ଏଥିପାଇଁ ତାଙ୍କ ପୁରା ପରିବାର ସହଯୋଗର ହାତ ବଡାଇଛନ୍ତି.

ଗୁଡଲୀଙ୍କ ସ୍ବପ୍ନ, ସେ ଜଣେ ଭଲ ଫେସନ ଡିଜାଇନର ଭାବେ ପ୍ରତିଷ୍ଠା ଲାଭ କରିବେ. ତାଙ୍କ ସ୍ବପ୍ନ ପୁରା ହେଉ ଏବଂ ଓଡିଆ ଝିଅ ଗୁଡଲୀଙ୍କର ଡ୍ରେସ ଡିଜାଇନିଂ ଗ୍ଲୋବାଲ ମାର୍କେଟରେ ଆଦର ଲାଭ କରୁ, ଏହାହିଁ ଆମର କାମନା.

LEAVE A REPLY

Please enter your comment!
Please enter your name here