ଦୁଇ ଦିନ ହେବ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେଇ ଦଳକୁ ନୂଆ ଆଶାର ଆଲୋକ ଦେଖାଇଥିବା ବେଳେ ଦଳର ଜଣେ ଅଭିଜ୍ଞ ନେତା ଆପତ୍ତିଜନକ ଭାଷଣ ଦେଇ ଏବେ ଚର୍ଚ୍ଚାରେ । ଚର୍ଚ୍ଚାର ଫୋକସ୍ ରେ ଅଛନ୍ତି ଆଳି ବିଧାୟକ । ଏବେ ଆପଣ ଭାବୁଥିବେ ବିଧାୟକ ବାବୁ କଲେ କଣ ? ଆଗାମୀ ନିର୍ବାଚନ ପାଇଁ ରାଜନୀତି ଜୋର ଧରୁଥିବା ବେଳେ ବିଧାୟକ ଦେବେନ୍ଦ୍ର ଶର୍ମା ବିରୋଧୀ ଦଳଙ୍କ ଉଦ୍ଦେଶ୍ୟରେ ନିଜ ଭାଷଣରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ବିଧାୟକ ଖୋଲା ସଭାରେ ବିଜେଡି ନେତାମାନଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । ବିଜେଡି ନେତାଙ୍କୁ ଘରୁ ପଦାକୁ ବାହାର କରିଦିଆଯିବ ନାହିଁ । ଆଉ ଦରକାର ପଡିଲେ ଏଥିପାଇଁ ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେବାକୁ ପଛାଇବେ ନାହିଁ । ଏଭଳି ବିସ୍ଫାରକ ବୟାନ ଦେଇଛନ୍ତି ଆଳି ବିଧାୟକ ।
କର୍ମୀମାନଙ୍କୁ ସମ୍ବୋଧିତ କରିବାକୁ ଯାଇ ସେ କହିଛନ୍ତି, ୨୦୧୯ ନିର୍ବାଚନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ନିଜ ବାସଭବନ ପରିସରରେ ବିଧାୟକ ଦେବେନ୍ଦ୍ର ଶର୍ମା କର୍ମୀ ସମ୍ମିଳନୀ କରିଥିଲେ । ସଭାରେ ବିରୋଧୀ ବିଜେଡି ଓ ବିଜେପି ଉପରେ ଖୁବ୍ ବର୍ଷିଥିଲେ ମଧ୍ୟ । ଅଧିକ ଉତ୍ସାହିତ ହୋଇ ବିଧାୟକ କହିଯାଇଥିଲେ ବହୁତ କିଛି । ଗୋଟିଏ ପଟେ କଂଗ୍ରେସ ନିଜ ଦଳକୁ ଆହୁରି ମଜବୁତ୍ କରୁଥିବା ବେଳେ ବିଧାୟକଙ୍କ ଏଭଳି କଥା ଦଳ ଉପରେ କଣ ପ୍ରଭାବ ପକାଇବ ତାହା ତ ଦଳର ମୁଖ୍ୟ ସ୍ପଷ୍ଟ ଭାବେ କହିପାରିବେ ।
ଭାଷଣର ଭିଡିଓ ଭାଇରାଲ୍ ହେବା ପରେ ନିଜ ସଫେଇ ରଖିଛନ୍ତି ବିଧାୟକ । ହେଲେ କଥା ଥରେ ପାଟିରୁ ଖସିଗଲେ ଆଉ କଣ ଫେରିବ ?