ସୋମବାର ଦିନ ବଡ଼ ଦାଣ୍ଡରେ ରଥ ଉପରେ ବସି ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ . ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ହୀରା ନୀଳା ଖଚିତ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ଦେଖିବା ପାଇଁ ଶରଧାବାଲିରେ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ବସିଥିଲେ ପବିତ୍ର ହରିଶୟନ ଏକାଦଶୀ ଦିନ . ସନ୍ଧ୍ୟା 5ଟା ସମୟରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସୁନାବେଶ ନୀତି. ରାତି 11ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ.

ରଥାରୁଢ଼ ଶ୍ରୀଜିଉଙ୍କୁ ଦୁଇ ଶହ କିଲୋ ଓଜନରୁ ଅଧିକ ସୁନାଅଳଙ୍କାରେ ଲାଗି କରାଯାଇଛି. ସୁନାର କିରୀଟ, ହରିଡ଼ା, କଦମ୍ବ ମାଳି, କାନ, ବାହାଡ଼ାମାଳି, ତାବିଜମାଳି, ବାଘନଖୀ ମାଳି, ସେବତୀ ମାଳି, ହଳଭୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ରସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼କୀ ଆଦି ଆଭୂଷଣ ମହାପ୍ରଭୁଙ୍କୁ ସଜ୍ଜା ଯାଇଥିଲା . ଆବଶ୍ୟକ ସ୍ଥଳେ  ଦର୍ଶନ ସମୟ  ବୃଦ୍ଧି କରାଯାଇପାରେ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି.

ସୁନାବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି. ରାତି 8ଟାରୁ 9ଟା ମଧ୍ୟରେ ସଂଧ୍ୟାଧୂପ, 9ଟା 15ରେ ମହାଦୀପ ବନ୍ଦାପନା, ରାତି 10ଟାରୁ 11ଟା ସୁନାବେଶ ମଇଲମ, ସାଢ଼େ 11ଟାରେ ଚନ୍ଦନଲାଗି, ରାତି 12 ଟାରେ ବଡସିଂହାର ବେଶ, ସାଢ଼େ 12 ଟାରେ ବଡ଼ସିଂହାର ଭୋଗ, 12 ଟା 45ରେ ମଇଲମ, ରାତି 1ରେ ମହାସ୍ନାନ ପୂଜା, ସାଢ଼େ ଗୋଟାଏରେ ଶୟନ ପରେ ମହାସ୍ନାନ, ଗୋଟାଏ 50ରେ ମଇଲମ, 2ଟା 10 ରେ ଚନ୍ଦନ ଲାଗି, 3ଟାରେ ବଲ୍ଲଭ ବଡ଼ସିଂହାର ବେଶ, ସାଢ଼େ 3 ଟାରେ ବଲ୍ଲଭ ବଡ଼ସିଂହାର ଭୋଗ, ଭୋର 4ଟାରେ ହରିଶୟନ ନୀତି ଓ ରାତ୍ର ପହୁଡ଼ ନୀତି ସଂପନ୍ନ ହେବ.  24 ତାରିଖରେ ଅଧରପଣା ଓ 25 ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ.

LEAVE A REPLY

Please enter your comment!
Please enter your name here