ନୂଆଦିଲ୍ଲୀ(ଏଜେନ୍ସି): ଦେଶର ମୋଟ୍ ୫୪୨ ଲୋକସଭା ସାଂସଦ ଏବଂ ୪ଠ୮୬ଜଣ ବିଧାୟକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ ସାଂସଦ ଏବଂ ୧୯୯ଜଣ ବିଧାୟକ ନିଜ ପ୍ୟାନକାର୍ଡ ସମ୍ପର୍କୀତ ବିବରଣୀ ସରକାରୀ ଦସ୍ତାବିଜ୍ ଭାବେ ପ୍ରଦାନ କରିନାହାନ୍ତି । ନିର୍ବାଚନ ସମୟରେ ନାମାଙ୍କନପତ୍ର ଦାଖଲ ପାଇଁ ସତ୍ୟପାଠରେ ପ୍ୟାନକାର୍ଡ ତଥ୍ୟ ଦେବା ବାଧ୍ୟତାମୂଳକ ଥିଲେ ମଧ୍ୟ ଏମାନେ ଦୂରେଇ ରହିଛନ୍ତି ।
ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ୍ ୱାଚ୍ (ଏନ୍ଇଡବ୍ଲୁ୍ୟ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ସୂଚନା ଆସିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଏଡିଆର ପକ୍ଷରୁ ସମସ୍ତ ୫୪୨ ଲୋକସଭା ସାଂସଦ ଏବଂ ୪ଠ୮୬ଜଣ ବିଧାୟକଙ୍କ ପକ୍ଷରୁ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ ଓ ସ୍ଥାୟୀ ଖାତା ସଂଖ୍ୟା (ପ୍ୟାନ୍) ବିବରଣୀ ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ କଂଗ୍ରେସର ସର୍ବାଧିକ ୫୧ଜଣ ବିଧାୟକ ପ୍ୟାନ୍କାର୍ଡ ତଥ୍ୟ ଦେଇନାହାନ୍ତି ବୋଲି ଜଣାପଡିଛି । ଏହାପଛକୁ ବିଜେପିର ୪୨ଜଣ ବିଧାୟକ, ସିପିଏମର ୨୫ଜଣ ବିଧାୟକ ନିଜ ପ୍ୟାନକାର୍ଡ ତଥ୍ୟ ଦେଇନାହାନ୍ତି । ରାଜ୍ୟ ଅନୁସାରେ କେରଳର ୩୩, ମିଜୋରାମର ୨୮, ମଧ୍ୟପ୍ରଦେଶର ୧୯ ଜଣ ବିଧାୟକ ନିଜ ପ୍ୟାନକାର୍ଡ ତଥ୍ୟ ଦାଖଲ କରିନାହାନ୍ତି । ସେହିପରି ସାଂସଦଙ୍କ ମଧ୍ୟରୁ ଓଡିଶାର ୨ଜଣ ବିଜେଡି ସାଂସଦ, ତାମିଲନାଡୁର ୨ଜଣ ଏଆଇଏଡିଏମକେ ସାଂସଦ ପ୍ୟାନକାର୍ଡ ତଥ୍ୟ ଦେଇନଥିବା ବେଳେ ଆସାମ, ମିଜୋରାମ ଏବଂ ଲାକ୍ଷାଦ୍ୱୀପର ଜଣେ ଲେଖାଁଏ ସାଂସଦ ଏଯାଏଁ ନିଜ ପ୍ୟାନକାର୍ଡ ତଥ୍ୟ ଦେଇନଥିବା ଜଣାପଡିଛି । ସେହିପରି ବିଜେପିର ୧୮, କଂଗ୍ରେସର ୯ ଏବଂ ଜେଡିୟୁର ୩ଜଣ ସାଂସଦଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପ୍ୟାନକାର୍ଡ ତଥ୍ୟରେ ତ୍ରୁଟି ରହିଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here