ଭୁଜ : ଗୁଜୁରାଟର ଭୁଜ ସ୍ଥିତ ଶ୍ରୀ ସହଜାନନ୍ଦ କଲେଜର ଛାତ୍ରୀ ନିବାସରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ୱାମି ନାରାୟଣ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି କଲେଜର ହଷ୍ଟେଲରେ ଗତ ୧୩ ତାରିଖ ଦିନ ଛାତ୍ରୀମାନଙ୍କୁ ଉଲଗ୍ନ କରାଯାଇ ସେମାନଙ୍କ ଋତୁସ୍ରାବ ଯାଞ୍ଚ କରାଯାଇଛି । ଏହା ବର୍ତ୍ତମାନ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ସୂଚନାମୁତାବକ, ସହଜାନନ୍ଦ କଲେଜ କ୍ୟାମ୍ପସରେ ସାନିଟାରୀ ନାପକିନ ମିଳିବା ପରେ କଲେଜ ପ୍ରିନ୍ସିପାଲ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷ ୬୮ଜଣ ଅନ୍ତେବାସୀଙ୍କୁ ଶୈାଚାଳୟକୁ ନେଇ ଉଲଗ୍ନ କରି କାହାର ପିରିୟଡ ହେଇଛି ଯାଞ୍ଚ କରିଥିଲେ । ଛାତ୍ରୀମାନଙ୍କୁ ଏଥିରେ ଗଭୀର ଆଘାତ ଲାଗିଛି । କିଛି ଛାତ୍ରୀ ଆପତ୍ତି କରିବା ସହିତ ଧାରଣା ମଧ୍ୟ ଦେଇଥିଲେ । କିନ୍ତୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଧମକ ଚମକ ଦେବା ସହ ଧାରଣା ପ୍ରତ୍ୟାହାର ପାଇଁ କହିଥିଲେ । ସେମାନଙ୍କ ସହ ଏପରି କିଛି ବ୍ୟବହାର ହୋଇନାହିଁ ବୋଲି ଲିଖିତ ଆକାରରେ ଦେବା ପାଇଁ ମଧ୍ୟ କହିଥିଲେ । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣା ଜଣାପଡିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନ ୫ ଜଣିଆ ତଦନ୍ତ କମିଟି ଗଠନ କରିଛି । ତଦନ୍ତ ରିପୋର୍ଟ ଆଧାରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଳପତି ଦର୍ଶନା ଢୋଲକିୟା କହିଛନ୍ତି । ଜାତୀୟ ମହିଳା କମିଶନ ନିଜ ଆଡୁ ଘଟଣାରେ ହସ୍ତକ୍ଷେପ କରି ତୁରନ୍ତ ତଦନ୍ତ ପାଇଁ ଦାବି କରିଛନ୍ତି । ମହିଳା କମିଶନ ସହଜାନନ୍ଦ କଲେଜର ଟ୍ରଷ୍ଟି ଏବଂ ପ୍ରିନ୍ସିପାଲ ରିତା ରାନିଗାଙ୍କୁ ଏ ବାବଦରେ କୈଫୟତ ଦେବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here