ନଅ ବର୍ଷ ତଳୁ ସମ୍ପର୍କ ଭାଙ୍ଗିଗଲାଣି. ସମ୍ପର୍କ ଭାଙ୍ଗିଥିଲେ ବି ନଅ ବର୍ଷ ଭିତରେ ସେମାନେ ପରସ୍ପରକୁ ଭେଟିଛନ୍ତି. ସୁଖଦୁଃଖରେ ପୁଣି ପରସ୍ପରକୁ ସାହାଯ୍ୟ କରିଛନ୍ତି. ସାମନାସାମନି ବି ହୋଇଛନ୍ତି. ମୁହଁ ଫୁଲାଫୁଲି ଭିତରେ ବି କୋଉଠି ନା କୋଉଠି ପରସ୍ପର ପ୍ରତି ଦୁର୍ବଳତା ରହିଯାଇଛି. ରହିବା ସ୍ବାଭାବିକ ମଧ୍ୟ. କେମିତି ବା ଭୁଲିପାରନ୍ତେ ନଅବର୍ଷର ମଧୁର ସ୍ମୃତିକୁ. ଉପରକୁ ଯେତେ ରବେଇ ଖବେଇ ହେଲେ ବି ସମ୍ପର୍କର ମାନେ ସେମାନେ ବୁଝିଛନ୍ତି. ଆମେ କହୁଛୁ ରାଜ୍ୟ ରାଜନୀତିର ଦୁଇ ବିରୋଧୀ ଶିବିରଙ୍କ କଥା. ସରକାରରେ ଥିବା ବିଜେଡି ଓ ନଅବର୍ଷ ତଳୁ କିଛି ତିକ୍ତ ଅନୁଭବ ଧରି ସରକାରରୁ ବାହାରିଥିବା ବିଜେପି କଥା. ସମ୍ପର୍କ ତୁଟିବା ପରେ ପରସ୍ପର ବିରୋଧରେ ଖୋଲାଖୋଲି ଗାଳି ଦେବା, କୁତ୍ସାରଟନା କରିବାରେ ଧୁରନ୍ଧର ଦୁଇ ଦଳର ନେତାମାନେ କେତେବେଳେ ମହାନଦୀକୁ ନେଇ ମୁହାଁମୁହିଁ ହୋଇଛନ୍ତି ତ ପୁଣି କେତେବେଳେ ଗ୍ୟାସ ବାଣ୍ଟିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଭଳି ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ ନେଇ ରାସ୍ତାକୁ ଓହ୍ଲେଇଛନ୍ତି. ମାତ୍ର ଆପଣ ଜାଣି ତାଜୁବ ହେବେ, ଉପରକୁ ଦୁଇ ସଉତୁଣୀ ଭଳି କଳି କରୁଥିବା ବିଜେଡି-ବିଜେପି ଭିତରେ ଏବେ ବି ଅଦୃଶ୍ୟ ସମ୍ପର୍କ ରହିଛି. ଏବେ କେନ୍ଦ୍ରରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ବିଜେଡି ସାଂସଦଙ୍କ ଭୂମିକା ପଦ୍ମ ପ୍ରତି ଥିବା ଦୁର୍ବଳତାକୁ ପୁଣିଥରେ ପଦାରେ ପକାଇ ଦେଇଥିଲା. ବିତର୍କରେ ଭାଗ ନେଇ ଓଡିଶା ପ୍ରତି କେନ୍ଦ୍ର ଅବହେଳା ସଂପର୍କରେ କିଛି ଠୋସ୍ ତଥ୍ୟ ରଖିବା ବଦଳରେ କକ୍ଷ୍ୟତ୍ୟାଗ କରି ଚାଲି ଆସିଥିଲେ. ବାହାରେ ସଫେଇ ଦେଲେ ବିତର୍କରେ ଭାଗ ନେବା ଅର୍ଥହୀନ. ଯଦିଓ କିଛି ନା କିଛି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ଓ ନେତାମାନେ ସବୁବେଳେ କେନ୍ଦ୍ର ଅବହେଳା କଥା କହି କେନ୍ଦ୍ର ମୁଣ୍ଡରେ ଦୋଷ ଲଦିଥାନ୍ତି. କେବଳ ଅନାସ୍ଥା ନୁହେଁ, ଅନେକ ଜାତୀୟ ପ୍ରସଙ୍ଗରେ ବି ବିଜେପି ସହ ମୁଣ୍ଡ ହଲେଇ ସମ୍ମତି ଜଣାଇଆସିଛି ବିଜେଡି. ସବୁଠୁ ରୋଚକ କଥା ହେଉଛି, କିଛି ମାସ ତଳେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ପଶ୍ଚିମ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଉଦଗାରଣ କରୁଥିବା ବେଳେ ଦଳର ମୁଖପାତ୍ରମାନଙ୍କୁ ଶାହାଙ୍କ ବିରୋଧରେ ଗଣମାଧ୍ୟମରେ କିଛି କହିବାକୁ ବାରଣ କରାଯାଇଥିଲା. ଏସବୁ କଥା ସ୍ପଷ୍ଟ କରୁଛି ଶଙ୍ଖ ଓ ପଦ୍ମ ଭିତରେ ଥିବା ଭିତିରି ମଧୁର ସମ୍ପର୍କର କଥା. ଭିତିରି ସମ୍ପର୍କ ରଖିବା ବି ସେମାନଙ୍କ ପାଇଁ ରାଜନୈତିକ ବାଧ୍ୟବାଧକତା. ସମ୍ପର୍କ ନ ରଖିଲେ ସର୍ବନାଶ. କେତେବେଳେ ଚିଟଫଣ୍ଡ୍ ତଦନ୍ତର ଭୟ ତ ଆଉ କେତେବେଳେ ବ୍ଲାକରୋଜ୍. ତା ସାଙ୍ଗକୁ ଏବେ ପୁଣି ଟିଟୋ ସମ୍ପର୍କ ଆସିଲାଣି. ବର୍ଷ ବର୍ଷ ଧରି ତଦନ୍ତ ଚାଲୁଥିଲେ ବି କିଛି ସରୁନି. ଠିକଣା ସମୟରେ ପଦ୍ମ ସଙ୍କେତ ପାଇଲେ ସିବିଆଇ ତାର ପେଡି ଖୋଲିବ.

LEAVE A REPLY

Please enter your comment!
Please enter your name here