ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏଁ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ମହାକୁମ୍ଭ ଖେଳାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚିବାଳୟଠାରେ ଏହି ମେଗାଇଭେଣ୍ଟ ଟ୍ରଫିର ପ୍ରତିକୃତି ଉନ୍ମୋଚନ କରିଛନ୍ତି । ଏହି ମେଗାଇଭେଣ୍ଟରେ ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ହକି ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ଟ୍ରଫି ଟୁର୍ ମଧ୍ୟ ଆୟୋଜନ କରାଯିବ । ଏଥିପାଇଁ ସରକାରଙ୍କୁ ବିଶ୍ୱକପ ଟ୍ରଫିର ୧୮ଟି ପ୍ରତିକୃତି ପ୍ରଦାନ କରାଯାଇଛି । ଟ୍ରଫିର ଏହି ପ୍ରତିକୃତି ଗୁଡିକ ବିଭିନ୍ନ ସର୍ବସାଧାରଣ କାର୍ଯ୍ୟାଳୟ ତଥା ସ୍ଥାନଗୁଡିକରେ ରଖାଯିବ ।

୬ଟି ସୁସଜ୍ଜିତ ଯାନରେ ଟ୍ରଫିଗୁଡିକ ରଖାଯିବ ଓ ଏଗୁଡିକ ରାଜ୍ୟର ୩୧୪ଟି ବ୍ଲକ ଓ ୧୧୩ଟି ସହରାଞ୍ଚଳ ନଗର ନିଗମ ଯାତ୍ରା କରିବେ । ଅକ୍ଟୋବର ଶେଷ ଆଡକୁ ଏହି ଟ୍ରଫି ଅନ୍ୟ ରାଜ୍ୟଗୁଡିକୁ ଯାତ୍ରା କରିବ । ଏହି ଟ୍ରଫି କ୍ରୀଡା ଓ ଯୁବସେବା ବିଭାଗ , ଭୁବନେଶ୍ୱର ମୁ୍ୟନିସିପାଲ୍ଟି କର୍ପୋରେଶନ, ଭୁବନେଶ୍ୱର ଡେଭଲପମେଣ୍ଟ ଅଥରିଟି ଓ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସର୍ବସାଧାରଣ ଦର୍ଶନ ନିମନ୍ତେ ରଖାଯିବ ।

ଭୁବନେଶ୍ୱର ୧ ନମ୍ବର ମାର୍କେଟ ନିକଟରେ ଏକ ୧୦ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଶ୍ୱକପ ଟ୍ରଫି ରଖିବାକୁ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଯୋଜନା କରୁଛି । ଯାହାଫଳରେ ହକି ପ୍ରଶଂସକମାନେ ଏହି ବିଶାଳକାୟ ଟ୍ରଫି ସହ ସେଲଫି ନେଇ ପାରିବେ ।

ସୁଚନା ଅନୁସାରେ ଏହି ହକି ବିଶ୍ୱକପ ଟ୍ରଫିକୁ ବସିର ମୁଜିଦ୍ ଡିଜାଇନ କରିଥିଲେ । ୧୯୭୧ ମାର୍ଚ୍ଚ ୨୭ ତାରିଖରେ ଏହି ଟ୍ରଫିକୁ ପାକିସ୍ତାନ ସେନା ତିଆରି କରିଥିଲେ । ରୂପାରେ ତିଆରି ହୋଇଥିବା ଏହି ଟ୍ରଫିର ଉପରିଭାଗ ସୁନା ଓ ରୂପାରେ ତିଆରି ପୃଥିବୀର ଗ୍ଲୋବ ରହିଛି । ଟ୍ରଫିର ପୂରା ଉପରେ ହକି ଷ୍ଟିକ୍ ଓ ବଲ୍ ମଡେଲ ସ୍ଥାପିତ ହୋଇଛି ।

ଟ୍ରଫିର ଉଚ୍ଚତା ୧୨୦.୮୫ ମିଲି ମିଟର ରହିଛି । ବେସ୍ ସହିତ ଏହାର ଉଚ୍ଚତା ୬୫୦ ମିଲିମିଟର ରହିଛି । ଏହାର ଓଜନ ୧୧,୫୬୦ ଗ୍ରାମ  । ଏଥିରେ ୮୯୫ ଗ୍ରାମ ସୁନା , ୬୮୧୫ ରୂପା ଓ ୩୫୦ ଗ୍ରାମ ହାତୀଦାନ୍ତ ରହିଛି ।

LEAVE A REPLY

Please enter your comment!
Please enter your name here