ନୂଆଦିଲ୍ଲୀ: ଭେନେଜୁଏଲାରେ ଗତ ୧୨୬ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି କୁହାଯାଉଛି। ବୁଧବାର ସନ୍ଧ୍ୟାରେ ଆସିଥିବା ଦୁଇଟି ଶକ୍ତିଶାଳୀ ଝଟକା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ ଅନୁଯାୟୀ, ପ୍ରଥମେ ରିକ୍ଟର ସ୍କେଲ୍ରେ ୭.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ମାତ୍ର ୪୦ ସେକେଣ୍ଡ ପରେ ପୁଣି ଥରେ ୭.୫ ତୀବ୍ରତାର ଦ୍ୱିତୀୟ ଝଟକା ଆସିଥିଲା, ଯାହା ସ୍ଥିତିକୁ ଅଧିକ ଭୟାବହ କରିଦେଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ କାରାକାସଠାରୁ କିଛି ଦୂରରେ ଥିଲେ ମଧ୍ୟ ସହରର ଅନେକ ଅଞ୍ଚଳରେ ଏହାର ପ୍ରଳୟଙ୍କରୀ ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଛି। ଭୂକମ୍ପର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ବ୍ୟାପକ ଧନଜୀବନ ହାନି ହୋଇଥିବା ଆଶଙ୍କା କରାଯାଉଛି। ପ୍ରାଥମିକ ଆକଳନ ଅନୁଯାୟୀ, ମୃତ୍ୟୁସଂଖ୍ୟା ୧୦ ହଜାରରୁ ଅଧିକ ଟପିଯାଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।












