ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଯଦି କ୍ଷମତାକୁ ଆସିବାରେ ସଫଳ ହୁଏ, ତେବେ ଆପଣଙ୍କ ପ୍ରତି କରାଯାଇଥିବା ଓଆରଓପି ପ୍ରତିଶ୍ରୁତିକୁ ଶତପ୍ରତିଶତ ନିଶ୍ଚିତ ପୂରଣ କରିବ । ଏହି ଯୋଜନାରେ ଯାହା କିଛି ବି ଛୋଟବଡ ସମସ୍ୟା ବା ତ୍ରୁଟି ରହିଛି ସେସମ୍ପର୍କରେ ବରିଷ୍ଠ ସେନାଧିକାରୀ, ଭୂତପୂର୍ବ ସାମରିକ କର୍ମଚାରୀ ତଥା କଂଗ୍ରେସ ସରକାର ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯିବ । ମାତ୍ର ଏଥିପାଇଁ ଆପଣ ସମସ୍ତଙ୍କ ସମର୍ଥନର ଆବଶ୍ୟକତା କଂଗ୍ରେସକୁ ରହିଛି । ନୂଆଦିଲ୍ଲୀ ଠାରେ ଭୂତପୂର୍ବ ସାମରିକ କର୍ମଚାରୀଙ୍କ ସହ ଆଲୋଚନା କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏପରି ପ୍ରତିଶ୍ରୁତି ଦେଇଛନ୍ତି ।
ରାହୁଲଙ୍କ କହିବାନୁସାରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ଜୀବନର ଅଧିକାଂଶ ସମୟ ଉତ୍ସର୍ଗ କରୁଥିବା ତଥା ସହିଦ୍ ହେଉଥିବା ସାମରିକ ଯବାନଙ୍କ ପ୍ରତି ଦେଶବାସୀଙ୍କ ସମ୍ମାନ ଓ ଶ୍ରଦ୍ଧା ସବୁବେଳେ ରହିଆସିଛି । ମାତ୍ର ସେମାନଙ୍କ ଅବସର ପରେ ସେମାନଙ୍କୁ ଉପଯୁକ୍ତ ଥଇଥାନ କରିବା ଦିଗରେ ଆଜି ପର୍ଯ୍ୟନ୍ତ ଦେଶର କେନ୍ଦ୍ର ସରକାର ଅପେକ୍ଷାକୃତ କମ୍ ଗୁରୁତ୍ୱ ଦେଇଆସିଛି । ବିଜେପି ସରକାର ପକ୍ଷରୁ ଓଆର୍ଓପି (ୱାନ୍ ର୍ୟାଙ୍କ୍ ୱାନ୍ ପେନସନ୍) ଭଳି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଯୋଜନା ଲାଗୁ କରାଯାଇଥିବା ସତ୍ତ୍ୱେ ବିଜେପି ସେତେବେଳେ ଏନେଇ ଯାହା କିଛି ପ୍ରତିଶ୍ରୁତି ଦେଇଥିଲା, ସେଥିମଧ୍ୟରୁ ଗୋଟିଏ ହେଲେ ପୂରଣ କରିନାହିଁ । ଯେତେବେଳେ ଏହି ପ୍ରସଙ୍ଗରେ ଗୃହରେ ପ୍ରସ୍ତାବ ଆସିଲା, ସେତେବେଳେ କଂଗ୍ରେସ ଏହାକୁ ପୂର୍ଣ୍ଣ ସମର୍ଥନ କରିଥିଲା । କାରଣ କଂଗ୍ରେସ କଦାପି ଯବାନଙ୍କ ସ୍ୱାର୍ଥ ପ୍ରସଙ୍ଗରେ ରାଜନୀତି କିମ୍ବା ବିବାଦ ସୃଷ୍ଟି କରିବାକୁ ଚାହିଁନାହିଁ । ତେବେ ଭୋଟ୍ ପାଇବା ଉଦେ୍ଦଶ୍ୟରେ ବିଜେପି ସରକାର ଏହି ଯୋଜନାକୁ ଆରମ୍ଭ ତ କରିଦେଲେ କିନ୍ତୁ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିପାରିନାହାନ୍ତି । ଏପରିକି ବାରମ୍ବାର ଦାବି ହେବା ସତ୍ତ୍ୱେ ଏଦିଗରେ ସାମାନ୍ୟତମ କର୍ଣ୍ଣପାତ ମଧ୍ୟ କରିନାହାନ୍ତି । ତେବେ ଆଗାମୀ ଦିନରେ କଂଗ୍ରେସ ଏହି ଯୋଜନାକୁ ସ୍ୱୟଂ ସମ୍ପୂର୍ଣ୍ଣ କରିବା ସହ ସମସ୍ତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ହକ୍ର ପଇସା ସେମାନଙ୍କୁ ଦେବାପାଇଁ ଆଜିର ଦିନରେ ପ୍ରତିଶ୍ରୁତିବଦ୍ଧ ହେଉଛି । ଏହି ଅବସରରେ ରାହୁଲ, ରାଫେଲ ବିମାନ ଦୁର୍ନୀତି ସର୍ମ୍ପକରେ ମଧ୍ୟ ମତାମତ ରଖିଥିବା ଦେଖିବାକୁ ମିଳିଥିଲା ।