ରାୟପୁର(ଏଜେନ୍ସି): ନିଜେ ମିଛ କହିବା ସହ ଏପରି କରିବାକୁ ଅନ୍ୟଙ୍କୁ ପ୍ରୋତ୍ସାହିତ କରିବା ବିଜେପିର ମୂଳ ନୀତି ପାଲଟିଛି । ବିଜେପିର ରିମୋଟ କଣ୍ଟ୍ରୋଲ୍ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି. ରାହୁଲଙ୍କ କହିବାନୁସାରେ ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନେ ସର୍ବାଧିକ ଅସୁରକ୍ଷିତ ହୋଇପଡିଛନ୍ତି । ବିଜେପି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛତିଶଗଡର ଜଣେ ମହିଳାଙ୍କ ଆୟ ଦ୍ୱିଗୁଣିତ ହୋଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଥିଲେ, ତାହା ମିଥ୍ୟା ଥିଲା ବୋଲି ରାହୁଲ ଆଜି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ରାହୁଲଙ୍କ ଅଭିଯୋଗ ହେଉଛି, ଜୁନ୍ ୨ଠରେ ମୋଦି, କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଭିଡିଓ କନଫରେନ୍ସିଂ ଯୋଗେ ଦେଶବାସୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ଉତ୍ତରପ୍ରଦେଶର ଜଣେ ମହିଳାଙ୍କ ନାମ ଧରି କହିଥିଲେ ଯେ, ଉକ୍ତ ମହିଳାଙ୍କ ଆୟ ଦ୍ୱିଗୁଣିତ ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ମହିଳାଙ୍କ ଆୟ ବୃଦ୍ଧି ପାଇନଥିବା ଜଣାପଡିଥିଲା । ଏସମ୍ପର୍କରେ କେତେକ ଗଣମାଧ୍ୟମ ନିଜ ନୁ୍ୟଜ୍ ଚ୍ୟାନେଲରେ ମଧ୍ୟ ପ୍ରଦର୍ଶିତ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ରାହୁଲ ଆଜି ମୋଦିଙ୍କୁ ମିଥ୍ୟାବାଦୀ କହି ଟାର୍ଗେଟ୍ କରିଛନ୍ତି । ସେହିପରି ବିହାର ଓ ଉତ୍ତରପ୍ରଦେଶରେ ଆଶ୍ରୟ କେନ୍ଦ୍ର କେଳେଙ୍କାରୀ ସାମ୍ନାକୁ ଆସିବା ପରେ ମଧ୍ୟ ମୋଦି ବର୍ତ୍ତମାନ ସୁଦ୍ଧା ପଦୁଟିଏ କହିନଥିବା ଦର୍ଶାଇ ରାହୁଲ ନିନ୍ଦା କରିଛନ୍ତି । ବିହାରରେ ଏନଡିଏ ସହଯୋଗୀ ଦଳ ଜେଡିୟୁ ସରକାର ଥିବା ବେଳେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର (ବିଜେପି) ରହିଛି । ତେବେ ଏହା କେବଳ ଏହି ଦୁଇ ରାଜ୍ୟରେ ଯେ, ଘଟୁଛି ତାହା ନୁହେଁ, ବରଂ ବିଜେପି ଶାସିତ ରାଜ୍ୟଗୁଡିକରେ ଏଭଳି ଘଟଣା ନିରନ୍ତର ଭାବେ ଘଟୁଥିବା ରାହୁଲ ଅଭିଯୋଗ କରିଛନ୍ତି । ଦେଶର ମହିଳାଙ୍କୁ ସଶକ୍ତିକରଣ କରିବାକୁ କହି ମୋଦି ସେମାନଙ୍କ ସହ ପ୍ରତାରଣା କରିଛନ୍ତି । ସେହିପରି ଦେଶର ଅଗଣିତ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବା ବଦଳରେ ବେରୋଜଗାର କରି ବସାଇଛନ୍ତି । ବାହାରେ ଚା’ ପକୋଡା ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇବାକୁ ଯୁବପୀଢ଼ିଙ୍କୁ କହୁଛନ୍ତି । ରାସ୍ତା କଡରେ ବସି ଚା’, ପକୋଡା କିମ୍ବା ଠେଲାଗାଡିରେ ବିକ୍ରି କରିବାକୁ ବିଜେପି ସରକାର ନିଯୁକ୍ତି ବୋଲି ଭାବୁଛନ୍ତି । ଦେଶର ଭବିଷ୍ୟତ କୁହାଯାଉଥିବା ଯୁବପୀଢ଼ିଙ୍କ ସହ ମଧ୍ୟ ମୋଦି ପ୍ରତାରଣା କରିଛନ୍ତି । ଏହିପରି ପ୍ରତ୍ୟେକ ପ୍ରସଙ୍ଗରେ ପ୍ରତ୍ୟେକ କଥା ମୋଦି ସରକାର ଦେଶବାସୀଙ୍କୁ ମିଥ୍ୟା କହିଚାଲିଛି । ତେବେ ବିଜେପି କେବଳ ନାଁକୁ ମାତ୍ର ସରକାରରେ ରହିଛି, ପ୍ରକୃତ ରିମୋଟ୍ କଣ୍ଟ୍ରୋଲ କିନ୍ତୁ ଆରଏସଏସ ହାତରେ ରହିଛି ବୋଲି ରାହୁଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here