ନୂଆଦିଲ୍ଲୀ(ଏଜେନ୍ସି): ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ନୂଆଦିଲ୍ଲୀକୁ ସୁରକ୍ଷା ବଳୟ ମଧ୍ୟରେ ଆଚ୍ଛାଦିତ କରିଦିଆଯାଇଛି । ତେବେ ଏଥରର ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମ ବିଶେଷକରି ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମ ସମୟରେ ଆତଙ୍କବାଦୀ ଆକ୍ରମଣ ହେବା ସମ୍ଭାବନା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବବର୍ଷ ତୁଳନାରେ ଅନେକାଂଶରେ ବୃଦ୍ଧି କରାଯାଇଛି । ତେବେ ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ଦାୟିତ୍ୱ ଦେଶର ପ୍ରଥମ ସ୍ୱତନ୍ତ୍ର ମହିଳା ସ୍ୱାଟ୍ କମାଣ୍ଡୋଙ୍କ ଉପରେ ନ୍ୟସ୍ତ କରାଯାଇଛି । ମୋଦି ଲାଲକିଲ୍ଲାରୁ ଭାଷଣ ଦେବାବେଳେ ଏମାନେ ମୋଦିଙ୍କୁ ଚର୍ତୁପାଶ୍ୱର୍ରୁ ସୁରକ୍ଷା ଦେବେ । ସ୍ପେଶାଲ୍ ଉଇପନ୍ ଆଣ୍ଡ ଟାକ୍ଟିସ୍ (ସ୍ୱାଟ୍) କମାଣ୍ଡୋ ନାମରେ ଗଠନ ହୋଇଥିବା ଏହି ମହିଳା ସୁରକ୍ଷା ଟିମ୍ ଯୁଦ୍ଧକଳାରେ ବେଶ୍ ପାରଙ୍ଗମ । ଶତ୍ରୁଙ୍କ ସହ ମୁକାବିଲା କରିବାର ସବୁ କଳା ଏମାନଙ୍କୁ ଟ୍ରେନିଂ ସମୟରେ ଶିଖାଯାଇଛି । ତେବେ ପ୍ରଥମଥର ପାଇଁ ଦିଲ୍ଲୀ ପୁଲିସ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏହି ମହିଳା କମାଣ୍ଡୋଙ୍କୁ ମୁତୟନ କରାଯାଉଥିବାରୁ ସେମାନେ ମଧ୍ୟ ଖୁବ୍ ଉତ୍ସାହିତ ଅଛନ୍ତି ।
ଦିଲ୍ଲୀ ପୁଲିସ୍ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ କହିବାନୁସାରେ ୩୬ ଜଣ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଏହି ସ୍ୱାଟ୍ ମହିଳା ସୁରକ୍ଷା ଦଳର ସମସ୍ତ ସଦସ୍ୟ ଉତ୍ତର ପୂର୍ବ ରାଜ୍ୟର । ଜାତୀୟ ଓ ଅର୍ନ୍ତଜାତୀୟ ସିକୁ୍ୟରିଟି ଓ ପ୍ରତିରକ୍ଷା ବିଶେଷଜ୍ଞଙ୍କ ତତ୍ୱାବଧାନରେ ୧୫ ମାସର କଡା ଟ୍ରେନିଂ ପରେ ଏମାନଙ୍କୁ ପ୍ରସ୍ତୁତ କରାଯାଇଛି । ସାଧାରଣତଃ ପୁରୁଷ କମାଣ୍ଡୋଙ୍କୁ ୧୨ ମାସ ଯାଏଁ ଟ୍ରେନିଂ ଦିଆଯାଇଥାଏ । କିନ୍ତୁ ଏମାନଙ୍କୁ ୩ମାସ ଅଧିକ ସମୟର ଟ୍ରେନିଂ ଦିଆଯାଇଛି । ପୁରୁଷ କମାଣ୍ଡୋଙ୍କ କ୍ଷେତ୍ରରେ ଯେଉଁ ଟ୍ରେନିଂ ପ୍ରକ୍ରିୟା ଅବଲମ୍ବନ କରାଯାଏ ଏହି ମହିଳା କମାଣ୍ଡୋମାନେ ମଧ୍ୟ ଉକ୍ତ ଟ୍ରେନିଂ ଗ୍ରହଣ କରିଛନ୍ତି । ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଓ ଦକ୍ଷିଣ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳ ଯଥା ଲାଲକିଲ୍ଲା ଓ ଇଣ୍ଡିଆ ଗେଟ୍ ଠାରେ ଏମାନଙ୍କୁ ମୁତୟନ କରାଯିବ । ମୁମ୍ବାଇ ଆକ୍ରମଣ ପରେ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦେଶରେ ଏଭଳି ମହିଳା ସ୍ୱାଟ୍ ଟିମ୍ ପ୍ରସ୍ତୁତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here