ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିଛି। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଉତ୍କଣ୍ଠା ବଢିଥିବାବେଳେ ସେଠାରେ ହିଂସା ଲାଗି ରହିଛି। ସୂଚନାଯୋଗ୍ୟ, ଶାବରିମାଳା ମନ୍ଦିରରେ ସବୁ ବର୍ଗର ଓ ସବୁ ବୟସର ମହିଳାଙ୍କ ପ୍ରବେଶ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ ଏହାକୁ ନେଇ ବିବାଦ ଓ ପ୍ରତିବାଦ ଜୋର ଧରିଛି। ସ୍ଥାନୀୟ ସଂଗଠନ, ମନ୍ଦିରର ପୂଜକ ଏପରିକି କିଛି ମହିଳା ସଂଗଠନ ମଧ୍ୟ ମନ୍ଦିରରେ ମହିଳାଙ୍କ ପ୍ରବେଶ ଅଧିକାରର ପ୍ରତିବାଦ କରିଛନ୍ତି । ସୁପ୍ରିମକୋର୍ଟ ରାୟ ଦ୍ୱାରା ମନ୍ଦିର ସଂସ୍କୃତି ଓ ପରମ୍ପରା ପ୍ରଭାବିତ ହେବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି। ରାୟର ପୁନର୍ବିଚାର ପାଇଁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଦାବି କରୁଥିବା ବେଳେ ଯେ କୌଣସି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି। ଫଳରେ ସାବରିମାଳା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ମୁଖାଧାରୀ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଦୁଇ ଜଣ ମହିଳା ସାମ୍ବାଦିକ ଆହତ ହୋଇଛନ୍ତି। ସେମାନଙ୍କ ଗାଡ଼ିକୁ ମଧ୍ୟ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି।
କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସକାଳୁ ମନ୍ଦିର ଓ ଆଖପାଖ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ମନ୍ଦିର ଦିଗକୁ ଯାଉଥିବା ମହିଳାଙ୍କୁ ଅଧାବାଟରୁ ଅଟକାଯାଇଥିଲା। ଏପରିକି ସବୁ ଗାଡ଼ିକୁ ଯାଞ୍ଚ କରି ମହିଳାଙ୍କୁ ଓହ୍ଲାଇ ଦିଆଯାଉଥିଲା । ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ଚାରିଟି ଗଣମାଧ୍ୟମ ସଂସ୍ଥାର ମହିଳା ସାମ୍ବାଦିକମାନଙ୍କୁ ବିକ୍ଷୋଭକାରୀମାନେ ବିରୋଧ କରିଥିଲେ। ପୁଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

LEAVE A REPLY

Please enter your comment!
Please enter your name here