ଭାରତୀୟ ଚାହା ପିଇଲେ କୁଆଡେ କରୋନା ରୋଗ ଭଲ ହୋଇଯିବ I ଗତ କିଛିଦିନ ଧରି ଏମିତି ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି I ଭାରତୀୟ ଚାହାରେ ଥିବା କେମିକାଲ୍ କୋଭିଡ 19 ଭଲ କରିପାରିବ ବୋଲି ସିଏନଏନ ପ୍ରଥମେ ଖବର ପ୍ରକାଶ କରିଥିବା ଏବଂ ଚାଇନାର ଉହାନରେ ଆକ୍ରାନ୍ତ ରୋଗୀମାନଙ୍କୁ କୁଆଡେ ଦିନକୁ ତିନିଥର ଚାହା ଦିଆଯାଉଥିଲା ବୋଲି ଏଥିରେ ଉଲ୍ଲେଖ ରହିଛି I ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଖବରର ସୂଚନା ଅନୁଯାୟୀ, ଚୀନର ଯେଉଁ ଡାକ୍ତର ଲି ଉଇଙ୍ଗ ପ୍ରଥମେ କରୋନା ଭାଇରସ୍ ବିଷୟରେ ଜାଣିଲେ ଏବଂ ପରେ କରୋନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ, ସେ କରୋନା ରୋଗର ପ୍ରତିକାର ପାଇଁ ଏମିତି କିଛି ତଥ୍ୟ ଛାଡି ଯାଇଥିଲେ I ଯାହା ଭାରତୀୟ ଚାହାରେ ରହିଛି I ମାତ୍ର ଏଭଳି ଖବରର ସତ୍ୟତା ଖୋଜିଥିଲା ଇଣ୍ଡିଆ ଟୁଡେର ଆଣ୍ଟି ଫେକ୍ ନ୍ୟୁଜ ଓ୍ବାର ରୁମ୍ I ସିଏନଏନ ଏଭଳି କୌଣସି ଖବର ପ୍ରକାଶ କରିଥିବା ଜଣାପଡି ନଥିଲା I ଗୁଗୁଲ୍ ରିପୋର୍ଟରେ ଚୀନ୍ ଡାକ୍ତରମାନେ କୌଣସି କରୋନା ଆକ୍ରାନ୍ତ ରୋଗୀଙ୍କୁ ଭଲ କରିବା ପାଇଁ ଚାହା ଦେଉଥିବା ଖବର ବି ମିଳିନଥିଲା I ତେବେ ଏ ସଂପ୍ରକରେ ଚାଇନା ଡେଲି ଏକ ଖବର ପ୍ରକାଶ କରିଥିଲା, ଯେଉଁଥିରେ ଝିଜାଙ୍ଗ ଅଂଚଳର ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର ଗବେଷକମାନେ ପରୀକ୍ଷାନିରୀକ୍ଷାରୁ ଜାଣିବାକୁ ପାଇଥିଲେ ଯେ, ଚାହାରେ ଥିବା କେମିକାଲ୍ କୋଭିଡ 19 ସଂକ୍ରମଣରୁ ରକ୍ଷା କରିପାରିବ I କିନ୍ତୁ ପରବର୍ତ୍ତୀ ସମୟରେ ଏଭଳି ରିପୋର୍ଟକୁ ଫେବୃଆରୀ 26 ତାରିଖରେ ହଟାଇ ଦିଆଯାଇଥିବା ଜଣାପଡିଛି I ଡାକ୍ତର ଓ ବୈଜ୍ଞାନିକମାନେ କୋଭିଡ 19ର ପ୍ରତିକାର ପାଇଁ ଔଷଧ ବାହାର କରିବାକୁ ଉଦ୍ୟମ ଚଳାଇଛନ୍ତି I ବିଶ୍ବସ୍ବସ୍ଥ୍ୟ ସଂଗଠନ ମଧ୍ୟ କୌଣସି ନିର୍ଦ୍ଧିଷ୍ଟ ଔଷଧ ଦେବାକୁ ସୁପାରିଶ କରିନି I ତେଣୁ ଚାହା ପିଇଲେ କୋଭିଡ 19 ଭଲ ହୋଇଯିବ ବେଲି ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟ କୌଣସି ତଥ୍ୟଭିତ୍ତିକ ନୁହେଁ ବୋଲି କୁହାଯାଇଛି I

LEAVE A REPLY

Please enter your comment!
Please enter your name here