ସାତବର୍ଷର ପୁଅ ସବୁଦିନ ତା ଜେଜେବାପା ଜେଜେମା ପାଖରେ ଶୋଉଥିଲା । ମାତ୍ର ସେଦିନ ପୁଅକୁ ପାଖରେ ଶୁଆଇବା ଡାକିଲେ ବାପା । ଲୋଭ ଦେଖାଇଲେ ରୁମରେ କୁଲର୍ ଅଛି, ଆରାମ ଲାଗିବ ଶୋଇବାକୁ । କୁଲର ଥିବା ରୁମରେ ଶୋଇବା ପାଇଁ ଖୁସିରେ ଚାଲି ଆସିଥିଲା ପୁଅ । କିଛି ସମୟ ପରେ ନିଘୋଡ ନିଦରେ ପୁଅ ଶୋଇଗଲା ପରେ ବାପା ଟିଭି ସାଉଣ୍ଡ ବଢାଇ ଦେଇଥିଲା । ଆଉ ପୁଅର ଗଳାଚିପି ହତ୍ୟା କରିଥିଲା । ଏଭଳି ନାରକୀୟ ଘଟଣା ଘଟିଛି ଇନ୍ଦୋରରେ । ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ପ୍ରତୀକକୁ ତା ନିଜ ବାପା ହତ୍ୟା କରିବା ଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଇନ୍ଦୋରରୋ ରହୁଥିବା 26 ବର୍ଷୀୟ ଶଶୀପାଲ ନିଜ ତୃତୀୟ ପତ୍ନୀ ପାୟଲ ସହ ରହୁଥିଲେ । ମାତ୍ର ସାବତ ପୁଅ ପ୍ରତୀକକୁ ସେ ଭଲ ପାଉ ନ ଥିଲେ । ଏଥିପାଇଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଏପରିକି ପ୍ରତୀକକୁ ସବୁଦିନ ପାଇଁ ରାସ୍ତାରୁ ନ ହଟାଇଲେ ସେ ଆଉ ଘରକୁ ଆସିବେନି କହି ବାପାଘରକୁ ପଳାଇଥିଲା । 23 ବର୍ଷୀୟ ତୃତୀୟ ପତ୍ନୀକୁ ଖୁସି କରିବା ପାଇଁ ଶଶୀପାଲ ସାତବର୍ଷର ପୁଅକୁ ପାଖରେ ଶୁଆଇ ଗଳାଚିପି ହତ୍ୟା କରିଥିଲା । ହତ୍ୟା କରିବାର ଦୃଶ୍ୟର ଭିଡିଓ ରେକର୍ଡିଂ କରି ପାୟଲ ପାଖକୁ ପଠାଇଥିଲା । ଏପରିକି ରାତିରେ ପାୟଲକୁ ଭିଡିଓ କଲ୍ ମଧ୍ୟ କରିଥିଲା । କିନ୍ତୁ ପାୟଲ ରାତିରେ ଶଶୀପାଲର ଫୋନ ଉଠାଇ ନ ଥିଲା । ପୋଲିସ ଶଶୀପାଲ ଓ ପାୟଲକୁ ଗିରଫ କରିଛି । ତେବେ ପାୟଲ କହିଛି ଯେ, ସାତବର୍ଷର ପୁଅକୁ ମାରିବା ପାଇଁ ସେ କେବେ କହି ନ ଥିଲା ।

LEAVE A REPLY

Please enter your comment!
Please enter your name here