ଫାଶୀ ପାଇବେ ପ୍ରଥମ ମହିଳା କଏଦୀ ସବନମ୍ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମଥୁରା ଜେଲରେ ଥିବା ଫାଶୀ ପ୍ରକୋଷ୍ଠରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଆଜି କୋର୍ଟ ଡେଥ୍ ଓ୍ବାରେଣ୍ଟ ଇସ୍ୟୁ କରିବା ପରେ ଫାଶୀଖୁଣ୍ଟରେ ଝୁଲିବା ପାଇଁ ସବନମଙ୍କ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସବନମଙ୍କୁ ଫାଶୀ ଦିଆଯିବା ପଛରେ ଯେଉଁ ଅପରାଧ ରହିଛି, ତାହା ଯେତିକି ସଙ୍ଗୀନ, ସେତିକି ଲୋମହର୍ଷକ ।
2008 ମସିହାରେ ଅପ୍ରେଲ 14 ତାରିଖ ରାତିର ଘଟଣା । ଉତ୍ତରପ୍ରଦେଶ ମୁରାଦାବାଦର ଅମରୋହା ଠାରୁ କୋଡିଏ କିଲୋମିଟର ଦୂରରେ ଅବସ୍ଥିତ ବାଓନଖେରି ଗାଁ । ଇଂଲିଶ ଓ ଭୂଗୋଳରେ ପୋଷ୍ଟଗ୍ରାଜୁଏସନ କରିଥିବା ସବନମ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । ସବନମଙ୍କର ସଲିମ ନାମକ ଯୁବକଙ୍କ ସହ ଥିଲା ପ୍ରେମ ସଂପର୍କ । ଆଉ ସାତ ସପ୍ତାହର ଗର୍ଭବତୀ ଥିଲେ ସବନମ୍ । ସବନମଙ୍କ ପରିବାର ଥିଲେ ସୈଫି ମୁସଲିମ ଏବଂ ବହୁ ଭୂସମ୍ପତ୍ତିର ଅଧିକାରୀ । କିନ୍ତୁ ସଲିମଙ୍କ ପାଠଘର ଥିଲା ଷଷ୍ଠ ଶ୍ରେଣୀ ଫେଲ୍ । ଆଉ ଆୟ କହିଲେ ଦିନ ମଜୁରିଆ । ମାତ୍ର ସଲିମଙ୍କ ପ୍ରେମରେ ଏମିତି ମଜ୍ଜି ଯାଇଥିଲା ଯେ, ସବନମକୁ ତା ସଂପର୍କ ବାହାରେ ସବୁକିଛି ଅନ୍ଧାର ଦିଶୁଥିଲା । ସବନମଙ୍କ ସଲିମ ସହ ସମ୍ପର୍କକୁ ବିରୋଧ କରୁଥିଲେ ସବନମଙ୍କ ପରିବାର । ପରିବାରର ବିରୋଧକୁ କୌଣସି ପ୍ରକାର ବରଦାସ୍ତ କରିପାରୁ ନଥିଲା ସବନମ । ଘଟଣା ଦିନ ପରିବାରର ସାତଜଣଙ୍କୁ ଖାଦ୍ୟରେ ନିଶା ଦେଇ ସଲିମ ସହ ମିଶି ଅତି ନୃଶଂସ ଭାବେ ହତ୍ୟା କରିଥିଲା ସବନମ୍ । ହତ୍ୟାକାଣ୍ଡର ଶୀକାର ହୋଇଥିଲେ ତା ବାପା, ମାଆ, ଦୁଇ ଭାଇ ଓ ଭାଉଜ ଓ ଦଶମାସର ପୁତୁରା । ଏହି ଘଟଣା ଗାଁ ଲୋକଙ୍କୁ ପୁରାପୁରି ସ୍ତବ୍ଧ କରିଦେଇଥିଲା । ସବନମ ଭଳି ଝିଅ ଏମିତି କାଣ୍ଡ ଘଟାଇବ, କେହି ବିଶ୍ବାସ କରିପାରୁ ନଥିଲେ ।
ସବନମଙ୍କୁ ଫାଶୀ ଦେବା ପାଇଁ ମଥୁରା ଜେଲରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଜଣେ ମହିଳା କଏଦୀଙ୍କୁ ଫାଶୀ ଦଣ୍ଡ ଦିଆଯିବା ସ୍ବାଧୀନ ଭାରତରେ ପ୍ରଥମ ଘଟଣା ହେବ । ନିର୍ଭୟା ଘଟଣାରେ ଅପରାଧୀଙ୍କୁ ଫାଶୀ ଦେଇଥିବା ଜହ୍ଲାଦ ପଓ୍ବନ ବି ପ୍ରସ୍ତୁତ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here