ନୁଆଦିଲ୍ଲୀ : ଭାରତମାଟିରେ ଟ୍ରମ୍ପ ଦମ୍ପତ୍ତିଙ୍କୁ ଯେଉଁଭଳି ସ୍ୱାଗତ କରାଯାଇଛି ତାହା ଅବିସ୍ମରଣୀୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ସରିବାପରେ ଟ୍ରମ୍ପ ଓ ମୋଦୀ ମିଳିତ ଭାବେ ସାମ୍ବାଦିକଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏହି ସମୟରେ ଟ୍ରମ୍ପ ଭାରତକୁ ଭୁରି ପ୍ରଂଶସା କରିବା ସହ ସେ ଏବଂ ତାଙ୍କ ପତ୍ନୀ ଭାରତୀୟଙ୍କ ଚମତ୍କାର ସ୍ୱାଗତରେ ବିସ୍ମିତ ବୋଲି କହିଥିଲେ । ଟ୍ରମ୍ପ ମୋଦୀଙ୍କ ଉଦ୍ଦେଶ୍ୟରେ କହିଥିଲେ ବିଶେଷକରି ଗତକାଲି ଷ୍ଟାଡିୟମର କାର୍ଯ୍ୟକ୍ରମ ମୋ ପାଇଁ ବହୁତ ସମ୍ମାନର ବିଷୟ ଥିଲା । ଷ୍ଟାଡିୟମରେ ୧ଲକ୍ଷ ୨୫ ହଜାର ଲୋକ ମୋଦୀଙ୍କ ପାଇଁ ବୋଧେ ଥିଲେ । କାରଣ ମୁଁ ଯେତେବେଳେ ଆପଣ(ମୋଦୀ)ଙ୍କର ନାମ ନେଉଥିଲି, ସେତେବେଳେ ଲୋକମାନେ ଅତ୍ୟନ୍ତ ଖୁସି ହୋଇ କରତାଳି ଦେଉଥିଲେ । ଭାରତର ଲୋକମାନେ ଆପଣ(ମୋଦୀ)ଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଆଜି ଆମେରିକା ଭାରତ ସହ ୩ ବିଲିୟନର ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ କରିଛି । କେବଳ ସାମରିକ ନୁହେଁ ବାଣିଜ୍ୟକ, ଆର୍ଥିକ, ଶକ୍ତି, ବିଶ୍ୱ ଯୋଗାଯୋଗ ଠାରୁ ଆରମ୍ଭ କରି ସାଂସ୍କୃତିକ କ୍ଷେତ୍ର ଏବଂ ଆତଙ୍କବାଦୀ ମୂଳୋତ୍ପାଟନ ପାଇଁ ଉଭୟ ଦେଶ ମିଳିତ କାର୍ଯ୍ୟ କରିବ । ଭାରତୀୟ ମହିଳା ମାନଙ୍କର ସଶକ୍ତି କରଣ ନିମନ୍ତେ ଆମେରିକା ଭାରତକୁ ସବୁମତେ ସାହାଯ୍ୟ କରିବ ବୋଲି କହିଛନ୍ତି ଟ୍ରମ୍ପ ।

LEAVE A REPLY

Please enter your comment!
Please enter your name here