ପଶ୍ଚିମବଙ୍ଗର ଜଲପାଇଗୁଡିର ନ୍ୟୁ ଦୋମାହାନୀ ରେଲୱେ ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୩୬ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ସଂଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କୁ ଆଉ ଏକ ଟ୍ରେନରେ ପଠାଇଦିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଗୁରୁତର ସହ ନେଇ ସମୀକ୍ଷା କରୁଥିବା ସେ କହିଛନ୍ତି । ଏହାସହ ଦିବଙ୍ଗତ ଯାତ୍ରୀଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରେଳ ମନ୍ତ୍ରୀ । ଗତକାଲି ସଂଧ୍ୟାରେ ପଶ୍ଚିମବଙ୍ଗ ଜଲପାଇଗୁଡି ଜିଲ୍ଲାର ଗୌହାଟି-ବିକାନେ ଏକ୍ସପ୍ରେସର ୧୨ଟି ବଗି ଲାଇନଚ୍ୟୁତ ହୋଇଥିଲା । ଏହା ଭିତରୁ ୫ଟି ବଗି ଓଲଟି ପଡିଥିଲା । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୫ଲକ୍ଷ ଟଙ୍କା ଏବଂ ଆହତକୁ ୧ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି ।