ବାଉଳି ହେଉଛି ପାକିସ୍ତାନ | କଶ୍ମୀର ପ୍ରସଙ୍ଗକୁ ନେଇ ସବୁ ଆଡୁ ନିରାଶ ହୋଇ ଫେରିବା ପରେ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିବା ଆରମ୍ଭ କରିଦେଇଛି | ସୀମା ବାହାରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଏବେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ କନସୁଲାର ଆକ୍ସେସ୍ ଯୋଗାଇ ଦେଇଥିବା ପାକିସ୍ତାନ ଏବେ ୟୁ-ଟର୍ଣ୍ଣ ଦେଇଛି | ଦ୍ୱୀତିୟ ଥର ପାଇଁ କନସୁଲାର ଆକ୍ସେସ ଦେବ ନାହିଁ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଡ.ମହମ୍ମଦ ଫୈଜଲ କହିଛନ୍ତି | ଗତ ସେପ୍ଟେମ୍ବର ୨ ତାରିଖରେ ପ୍ରଥମ ଥରଲାଗି କୁଳଭୂଷଣ ଯାଦବଙ୍କୁ ସର୍ତ୍ତମୂଳକ କନସୁଲାର ଆକସେସ ବା ଦୂତାବାସ ସହାୟତା ପ୍ରଦାନ ପାଇଁ ରାଜି ହୋଇଥିଲା | ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ବେଆଇନ୍ ଭାବେ ପାକିସ୍ତାନ ସାମରିକ କୋର୍ଟ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲା | ଭାରତ ସରକାର ଆଇସିଜେରେ ଏହା ବିରୋଧରେ ଲଢ଼େଇ କରିଥିଲେ | ଶେଷରେ ଆଇସିଜେ ଭାରତ ସପକ୍ଷରେ ରାୟ ଦେବା ସହ କୁଳଭୂଷଣଙ୍କୁ କନସୁଲାର ଆକ୍ସେସ ଦେବାକୁ କହିଥିଲେ |