ଗୁଜୁରାଟ ନର୍ମଦା ନଦୀ କୂଳରେ ନିର୍ମିତ ହୋଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନିଜ ଦେଶର ନାମକୁ ଦ୍ୱିଗୁଣିତ କରିଛି. 2990 କୋଟି ଟଙ୍କା  ବ୍ୟୟରେ ନିର୍ମାଣ  ହୋଇଥିବା ଏହି ପ୍ରତିମୂର୍ତ୍ତି ଉଚ୍ଚତା 182 ମିଟର ଅର୍ଥାତ୍ 597 ଫିଟ୍ ରହିଛି. ଏହା ହେଉଛି ଦେଶର ସବୁଠୁ ଉଚ୍ଚ ପ୍ରତିମା, ଯାହାର ଉଦଘାଟନ ପରେ ଏହାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ଲମ୍ବା ଲାଇନ ଲାଗୁଛି. ଷ୍ଟାଚ୍ୟୁ ଅଫ୍ ୟୁନିଟି ପରେ ଏବେ ଦେଶରେ ସୁ-ଉଚ୍ଚ ପ୍ରତିମା ସବୁ ନିର୍ମାଣ ହେବାର ଦେଖାଗଲାଣି. କାରଣ ଆଗକୁ ଆସୁଥିବା ସମୟରେ କେଉଁଠି ଭଗବାନ ଶିବଙ୍କ ପ୍ରତିମା ସହ କେଉଁଠି କାବେରୀ ତ ଆଉ କେଉଁଠି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ. ରାଜସ୍ଥାନର ନାଥ ଦ୍ୱାରରେ ଭଗବାନ ଶିବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି ଯାହାର ଉଚ୍ଚତା 351 ଫୁଟ୍ ରହିଛି ଏବଂ ଏହା ଦୁନିଆର ସବୁଠୁ ଉଚ୍ଚ ଶିବ ମୂର୍ତ୍ତି ମଧ୍ୟରେ ଗଣନା ହେବ. 16 ଏକର କ୍ଷେତ୍ର ବିଶିଷ୍ଟ ପାହାଡରେ ନିର୍ମିତି ହେଉଥିବା ଏହି ମୂର୍ତ୍ତି ନିର୍ମାଣର 85 ପ୍ରତିଶତ କାମ ସରିଛି. ଏହାପରେ କର୍ଣ୍ଣାଟକରେ ମଦର କାବେରୀଙ୍କ 125 ଫୁଟର ମୂର୍ତ୍ତି ନିର୍ମାଣ ହେବାର ପ୍ରସ୍ତାବ ମଧ୍ୟ ରହିଛି ଯାହାକୁ କର୍ଣ୍ଣାଟକ ସରକାର ମୋହର ମାରିଛନ୍ତି. ଏହି ପ୍ରତିମୂର୍ତ୍ତି ନିର୍ମାଣରେ ସରକାରଙ୍କ ପୁଞ୍ଜି ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ଡି. ଶିବକୁମାର. ତେବେ ଏହାକୁ କେବଳ ଏକ ମୂର୍ତ୍ତି ନୁହେଁ ବରଂ ଏକ ଟାୱାର ଆକାରର ନିର୍ମାଣ କରାଯିବ ଏବଂ ଏଥିପାଇଁ ଜାଗା ଚିହ୍ନଟ ସରିଥିବା ପ୍ରକାଶ କରିଛନ୍ତି ମନ୍ତ୍ରୀ ଡି. ଶିବକୁମାର. ମୂର୍ତ୍ତି ନିର୍ମାଣ ପାଇଁ ନିବେଶକମାନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି ଆଉ ଏଥିପାଇଁ ପାଖାପାଖି 1200 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି. ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ 108 ମିଟର ଉଚ୍ଚତା ଅର୍ଥାତ୍ 354 ମିଟର ବିଶିଷ୍ଟ ଭଗବାନ ରାମଙ୍କ ମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି. ଏହି ମୂର୍ତ୍ତି ବ୍ରୋଞ୍ଜରେ ନିର୍ମାଣ କରାଯିବ ଆଉ ଏଥିରେ ଭଗବାନ ରାମଙ୍କୁ ରାଜା ସ୍ୱରୂପ ନିର୍ମାଣ କରାଯିବ. ଷ୍ଟାଚ୍ୟୁ ଅଫ୍ ୟୁନିଟିର ନିର୍ମାତା ରାମ ସୁତାର ଏହାକୁ ନିର୍ମାଣ କରିବେ. ମୂର୍ତ୍ତି ନିର୍ମାଣ ପାଇଁ 10ହେକ୍ଟର ଜାଗା ସରକାର ଅଧିଗ୍ରହଣ କରିବାକୁ ଥିବାବେଳେ ଲୋକଙ୍କ ଚାନ୍ଦାରେ ଏହା ନିର୍ମାଣ ହେବ ବୋଲି କୁହାଯାଇଛି.

 

LEAVE A REPLY

Please enter your comment!
Please enter your name here