ହାଥରସ୍ ଘଟଣାରେ ସମଗ୍ର ଦେଶବାସୀ ବ୍ୟଥିତ । ୨୭ ଘଣ୍ଟା ପରେ ପିଡୀତାଙ୍କ ପରିବାରକୁ ଭେଟିଛନ୍ତି ସାମ୍ବାଦିକ । ଏବଂ ପରିବାରଙ୍କୁ ଭେଟିବା ପରେ ଯେଉଁ କଥା ସାମ୍ନାକୁ ଆସିଛି , ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଓ ପ୍ରଶାସନ କେତେ ତଳକୁ ଯାଇପାରନ୍ତି, ସେସଂପର୍କରେ ବୟାନ ଦେଇଛନ୍ତି ପିଡୀତାଙ୍କ ପରିବାର ।
ପୀଡିତାଙ୍କ ଭଉଣୀ କହିବାନୁଯାୟୀ, ହାଥରସର ଡିଏମ ପ୍ରବୀଣ କୁମାର ଆମ ପରିବାରକୁ ଧମକ ଦେଇଥିଲେ । ଡିଏମ୍ କହିଥିଲେ କରୋନାରେ ମୃତ୍ୟୁ ହୋଇଥିଲେ ଆପଣମାନେ କଣ କରିଥାନ୍ତେ? କ୍ଷତିପୂରଣ ବି ମିଳିନଥାନ୍ତା । ଶବକୁ ଆଖି ପୁରାଇ ଦେଖିବାକୁ ବି ସୁଯୋଗ ମିଳିନଥାନ୍ତା । ଆମକୁ ଲାଗୁନି ଯେ, ଆମକୁ ନ୍ୟାୟ ମିଳିବ । ଉତ୍ତର ପ୍ରଦେଶ ପୋଲିସ ଉପରେ ଆମର ଭରଷା ନାହିଁ । ନ୍ୟାୟ ଦେବା ଦୂରର କଥା, ପୋଲିସ ଏହି ସମୟରେ ଆମକୁ ମାରପିଟ୍ କରିଛନ୍ତି ।
ଅନ୍ତିମ ସଂସ୍କାର ପୂର୍ବରୁ ଝିଅକୁ ଟିକେ ଘରକୁ ନେବା ପାଇଁ ପିଡୀତାଙ୍କ ମାଆ କାକୁତି ମିନତି ହୋଇଥିଲେ । କିନ୍ତୁ ମା’ର ଆକୁଳ ନିବେଦନ ପ୍ରଶାସନ କାନରେ ପଡିଲାନି । ନିଜ ଝିଅକୁ ହଳଦି ଲଗାଇ ଶେଷ ବିଦାୟ ଦେବାକୁ ଆକୁଳ ନିବେଦନ କରିଥିଲା ମା’ । କିନ୍ତୁ ପ୍ରଶାସନ ତାହା କରାଇ ଦେଇନଥିଲା । ସରକାରଙ୍କ ଉପରେ ଆମର ଭରସା ବିଶ୍ୱାସ ନାହିଁ ବୋଲି ପୀଡିତାଙ୍କ ମା’ କହିଛନ୍ତି । ଡିଏମ କହୁଛନ୍ତି କ୍ଷତିପୂରଣ ଦେବାକୁ । ଆମକୁ କ୍ଷତିପୂରଣ ଦରକାର ନାହିଁ । କ୍ଷତିପୂରଣ ଦେଲେ ମୋ ଝିଅ ଫେରିଆସିବନି । ଡିଏମ ଯେତେବେଳେ ଝିଅର ଶବ ଦେଖିବା ପାଇଁ କହିଲେ, ଆମେ ଯାଇଥିଲୁ । ହେଲେ ଆମକୁ କହିଲେ ଝିଅର ପୋଷ୍ଟମର୍ଟମ ହୋଇଯାଇଛି । ଆପଣ ଚେହେରା ଆଉ ଦେଖିପାରିବେନି । ଆମେ କେମିତି ଜାଣିବୁ ଯେ, ପୋଲିସ ରାତି ଅଧରେ ଯାହାର ଶବ ଦାହ କଲେ ସେ ଆମ ଝିଅ କି ଆଉ କାହା ଶବ । ଆମେ ତ ଆମ ଝିଅର ମୁହଁ ଦେଖିନୁ । ମିଡିଆକୁ ଆମ ସହିତ ଭେଟ ନକରିବା ଏଇଟା ପ୍ରଶାସନର ଚାଲ୍ ।
ପୀଡିତାଙ୍କ ଭାଇ କହିଛନ୍ତି ମୋ ଭଉଣୀଙ୍କୁ ସେମାନେ ଗ୍ୟାଙ୍ଗରେପ୍ କରିଛନ୍ତି । ବାପାଙ୍କ ଦେହ ଏବେ ଠିକ୍ ନାହିଁ । କିନ୍ତୁ ପ୍ରଶାସନ କାହା ସହ କଥା ହେବାପାଇଁ ଆମକୁ ଛାଡୁନାହାଁନ୍ତି ।
ଅନ୍ୟପଟେ ହାଥରସ୍ ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ଦେଶବ୍ୟାପୀ ସମାଲୋଚନାର ଶରବ୍ୟ ହେବା ପରେ ଏସପିଙ୍କ ସହ ୫ ଜଣ ପୋଲିସ କର୍ମୀଙ୍କୁ ସସପେଣ୍ଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here