ଭୁବନେଶ୍ୱର: ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର, ନଷ୍ଟ ହୋଇଥିବା ଫସଲ ଏବଂ ପ୍ରଭାବିତ ବ୍ୟବସାୟୀଙ୍କ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।ସରକାରୀ ଘୋଷଣା ଅନୁଯାୟୀ, ବନ୍ୟା ଯୋଗୁ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ସେମାନଙ୍କୁ ନୂତନ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯିବ। ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ଏବଂ ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ମିଳିବ। ଏହାସହ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ତୁରନ୍ତ ରିଲିଫ୍ ସ୍ୱରୂପ ୫୦ କେଜି ଚାଉଳ ଏବଂ ନଗଦ ୨୫୦୦ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କ ଫସଲ କ୍ଷୟକ୍ଷତି ପାଇଁ ମଧ୍ୟ ବିଶେଷ ସହାୟତା ରାଶି ଘୋଷଣା କରାଯାଇଛି l ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮,୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭,୦୦୦ ଟଙ୍କାର କ୍ଷତିପୂରଣ ଦିଆଯିବ। ସେହିପରି ବାରମାସୀ ଫସଲ (ପରିବା ଓ ବଗିଚା ଚାଷ) କ୍ଷତିଗ୍ରସ୍ତ ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ଟଙ୍କା ଯୋଗାଇ ଦିଆଯିବ।ବନ୍ୟାରେ ଜୀବିକା ହରାଇଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ଉଠା ଦୋକାନୀ ଓ ଅସ୍ଥାୟୀ ଷ୍ଟଲ୍ ମାଲିକମାନଙ୍କୁ ୧୦,୦୦୦ ଟଙ୍କା ଲେଖାଏ ଦିଆଯିବ। ସେହିପରି କ୍ଷତିଗ୍ରସ୍ତ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ୨୫,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ। ରାଜ୍ୟର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ‘ଅର୍ଣ୍ଣବ’ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଏକ ୮ ଜଣିଆ ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଦଳ ଆଜି ଓଡ଼ିଶା ଗସ୍ତରେ ଆସିବେ l ଏହି ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରିବେ। କୃଷି, ଭିତ୍ତିଭୂମି, ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଜଳ ସମ୍ପଦ ତଥା ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମର୍କରେ ସମୀକ୍ଷା ଓ ଆକଳନ କରିବେ।କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କର ଏହି ଦଳର ନେତୃତ୍ୱ ନେବେ।

LEAVE A REPLY

Please enter your comment!
Please enter your name here