କେନ୍ଦ୍ରରେ ମୋଦି ସରକାର ଦେଶବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ଆରମ୍ଭ କରିଥିବା ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ପାଇଁ ଚାଲିଛି ଛକାପଞ୍ଝା । ଆୟୁଷ୍ମାନ ଯୋଜନାକୁ ନିର୍ବାଚନର କିଛିମାସ ପୂର୍ବରୁ ଲାଗୁ କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଓଡିଶା ସରକାର ଏହି ଯୋଜନାରେ ଓଡିଶାକୁ ସାମିଲ କରିବାକୁ ସିଧା ସିଧା ମନା କରିଦେଇଥିଲେ । କାରଣ ଏହି ଯୋଜନାର ପରିସର ମଧ୍ୟରୁ ଓଡିଶାର ବହୁ ଗରୀବ ହିତାଧିକାରୀ ବାଦ ପଡିବେ ବୋଲି ଓଡିଶା ସରକାର ଯୁକ୍ତି ବାଢିଥିଲେ । ଆୟୁଷ୍ମାନ ଯୋଜନା ଢାଞ୍ଚାରେ ଓଡିଶା ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ । ନିର୍ବାଚନ ସମୟରେ ଏହି ଯୋଜନାକୁ ନେଇ ଜୋରସୋର ପ୍ରଚାର କରିଥିଲେ ଉଭୟ ଦଳ । ନିର୍ବାଚନ ପରେ ଉଭୟ ରାଜ୍ୟରେ ଓ କେନ୍ଦ୍ରରେ ସରକାର ବି ଅପରବର୍ତ୍ତିତ ରହିଛି । କେନ୍ଦ୍ର ସରକାର ରାଜ୍ୟରେ ଏହି ଯୋଜନାକୁ ଲାଗୁ କରିବା ପାଇଁ ତତ୍ପରତା ଦେଖେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟକୁ ଆସି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ବି କରିଥିଲେ । ଖୋଦ୍ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଦନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ଯୋଜନାରେ ସାମିଲ ହେବାକୁ ଅନୁରୋଧ ବି କରିଛନ୍ତି । ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ପାଇଁ ସବୁଜ ସଂକେତ ଦେଇଥିବା ଚର୍ଚ୍ଚା ହେଉଛି । ଆଜି ବିଜେପି ରାଜ୍ୟ ମୁଖ୍ୟାଳୟରେ ଗଣମାଧ୍ୟମ ବିବରଣୀରେ ରାଜ୍ୟ ସରକାରଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ବିଜେପି ନେତା ସମୀର ମହାନ୍ତି । ସେପଟେ କେନ୍ଦ୍ର ସରକାର ପିଏମ କିଶାନ ନିଧୀ ଯୋଜନାରେ ଓଡିଶାର ହିତାଧିକାରୀଙ୍କ ଚିଠା ମାଗିଥିଲେ ମଧ୍ୟ ରାଜ୍ୟ ସରକାର ବର୍ତମାନ ପର୍ଯ୍ୟନ୍ତ ଚିଠା ନଦେବା ନିନ୍ଦନୀୟ ବିଷୟ ବୋଲି ସମୀର ମହାନ୍ତି କହିଛନ୍ତି । ଏଥିସହ ବିଜେଡି ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଲେଖାଶ୍ରୀ ସାମନ୍ତ ।

LEAVE A REPLY

Please enter your comment!
Please enter your name here