ସୋମବାର ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ୨ ଜଣ ପର୍ଯ୍ୟଟକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି । ମୃତ ଦୁଇ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ମୃତ ଦେହକୁ ପୁରୀ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଦୁଇ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ରିପ୍ କରେଣ୍ଟରେ ଟାଣି ହୋଇ ବଡ଼ ଲହଡ଼ି ମାଡ଼ରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡମାନେ ତୁରନ୍ତ ସମୁଦ୍ର ଭିତରକୁ ଯାଇ ଉଭୟଙ୍କୁ ଉଦ୍ଧାର କରି ପୁରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ପରିଚୟ ଏଯାଏ ମିଳିପାରିନାହିଁ । ଘଟଣାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପରିଚୟ ପାଇଁ ପଚରାଉଚରା କରାଯାଉଛି । ପୁରୀ ସମୁଦ୍ରରେ ପ୍ରତି ଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି କିନ୍ତୁ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉନାହିଁ ।













