କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ ଇଛାଶକ୍ତି ଆଗରେ ହାର ମାନିନିଏ ସବୁ ବାଧାବିଘ୍ନ । ଆଉ ଏହି ଉକ୍ତିଟିକୁ ପ୍ରମାଣ କରି ଦେଖାଇଛନ୍ତି ଉପାନ୍ତଅଞ୍ଚଳର ଜଣେ ଛାତ୍ର ଅବିନାଶ । ଇସ୍ରୋ ଯିବେ ଲାଲଗଡର ଛାତ୍ର ଅବିନାଶ. ରାଜ୍ୟସ୍ତରୀୟ ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର‌୍ୟ୍ୟକ୍ରମରେ ବିଜେତା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ । ଚଳିତବର୍ଷ ଟାଟା ଷ୍ଟିଲ୍ କମ୍ପାନୀ ପକ୍ଷରୁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଆୟୋଜିତ ହୋଇଥିଲା ଯୁବ ଜ୍ୟୋର୍ତିବିଜ୍ଞାନ ପ୍ରତିଭା ଅନ୍ବେଷଣ କାର‌୍ୟ୍ୟକ୍ରମ । ଏଥିରେ ରାଜ୍ୟର ମୋଟ ୩୦୦ଟି ବିଦ୍ୟାଳୟରୁ ୬୨ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ନିଜର ପ୍ରତିଭା ଦେଖାଇ ସଫଳ ହୋଇଥିବା ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅବିନାଶ । ଅବିନାଶଙ୍କ ବାପା ଜଣେ ଶିକ୍ଷକ ଥିବା ବେଳେ ସେ ପିଲାଟି ଦିନରୁ ନିଜ ପୁଅକୁ ଜଣେ ଭଲ ମଣିଷ ରୂପେ ଗଢିତୋଳିବା ପାଇଁ ପ୍ରୟାସ ଜାରି ରଖିଥିଲେ । ପିଲାଟି ଦିନରୁ ଅବିନାଶ ମହାକାଶ ବିଜ୍ଞାନ ଉପରେ ଗବେଷଣା କରିବାକୁ ରୁଚି ରଖିଥିଲେ । ଆଉ ତାଙ୍କର ଏହି ନିଷ୍ଠା ଓ କଠିନ ପରିଶ୍ରମ ଆଜି ତାଙ୍କୁ ସଫଳତାର ରାସ୍ତା ଦେଖାଇଛି । କେବଳ ଇସ୍ରୋ ନୁହେଁ ନାଶା ଯାଇ ସେ ଜଣେ ସଫଳ ମହାକାଶ ବୈଜ୍ଞାନିକ ହୋଇପାରିବେ ବୋଲି ଆଶା ରଖିଛନ୍ତି ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ।ସେପଟେ ୧୪୭ତମ ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡାର ଏହି ଛାତ୍ର ବିଜ୍ଞାନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଆଦିବାସୀ ତଥା ଲାଲଗଡ ପାଇଁ ଗର୍ବ ଓ ଗୌରବ ଆଣିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନ ଗୁରୁଜୀ । ଅବିନାଶ ଙ୍କ ଏଭଳି ସଫଳତା ଯୋଗୁଁ ପୁରା ଜିଲ୍ଲା ଗର୍ବନ୍ଵିତ ହୋଇଥିବା ବେଳେ ଆଗକୁ ମଧ୍ୟ ଅବିନାଶ ଜିଲ୍ଲାର ନାମ ରଖିବାରେ ସଫଳ ହେବେ ବୋଲି ବିଦ୍ୟାଳୟର ଶିକ୍ଷକ ମତ ରଖିଛନ୍ତି । ମାଲକାନଗିରି ଭଳି ଆଦିବାସୀ ବହୁଳ ଓ ମାଓଗଡ ରୂପେ ପରିଚିତ ଜିଲ୍ଲାର ଯୁବପିଢୀ ଦିନକୁ ଦିନ ଜିଲ୍ଲାପାଇଁ ଗୌରବ ଆଣୁଥିବାବେଳେ ରାଜ୍ୟ ସରକାର ଜିଲ୍ଲା ପ୍ରତି ବିଶେଷ ଦୃଷ୍ଠୀ ଦେଲେ ଏଭଳି ଅନେକ ଲୁକ୍କାୟତ ପ୍ରତିଭା ସାମ୍ନାକୁ ଆସିବା ସହ ଦେଶ ପାଇଁ ଗୌରବ ଆଣିପାରିବେ ।

LEAVE A REPLY

Please enter your comment!
Please enter your name here